ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷା ବିଜ୍ଞାନ ସୂକ୍ଷ୍ମ କଳା
ଅନାବଶ୍ୟକ ଅବହେଳା
କରିବା ଯାହାର ପ୍ରକୃତି
ସେ କରିଥାଏ ବହୁ କ୍ଷତି
ଶୃଂଖଳାବଦ୍ଧ ହେଲେ ଭାଷା
ବଢ଼ାଏ ଲୋକଂକ ଭରସା
ପୂର୍ବ ଅଭ୍ୟାସଠାରୁ ମୁକ୍ତି
ପାଇ ନ ପାରି ବହୁ ବ୍ୟକ୍ତି
କରଂତି ପ୍ରଥା ପାଇଁ ଯୁକ୍ତି
ନ ଥାଏ ଭାଷାରେ ଆସକ୍ତି
ସାରିଲେ ସମୟ ଓ ଶକ୍ତି
କେବେ ବି ହୁଏନି ଉନ୍ନତି
କରିଲେ ଭାଷା କାରବାର
ହେବାକୁ ପଡ଼ିବ ତତ୍ପର
ଲୋକେ ହୋଇଲେ ସଚେତନ
ବଢ଼ିବ ଭାଷା ପ୍ରଚଳନ
ଭାଷାକୁ ସଦା ପ୍ରୀତିକର
କରିବା ଦାୟିତ୍ୱ ଆମର
ହେଲେ ହେଁ ବହୁ ସଂକୀର୍ଣତା
ପୂରିତ ଅଟେ ଆମ ମଥା
ହେବାକୁ ଅଧିକ ଉଦାର
ଅନେକେ ହୋଇଲେ ତତ୍ପର
ଆପେ ବଦଳିଯାଏ ସ୍ଥିତି
କାହା ମନେ ନ ରହେ ଭୀତି
ପ୍ରଥାସକ୍ତ କି ଭାଷାସକ୍ତ
ପ୍ରଥମେ ହେଲେ ବିବେଚିତ
ଅସ୍ଥିର ହୁଏନାହି ଚିତ୍ତ
ବ୍ୟକ୍ତି ହିଁ ହୁଏ ସ୍ବଚାଳିତ
ଭାଷାଂଶ କଲେ ବ୍ୟବହାର
ହାନି ତ ସମଗ୍ର ଭାଷାର
କେବେ ବି ହୋଇନି ସଂଭବ
ଏବେ କେମିତି ତାହା ହେବ ?
ବୁଝି ନିଜ ଆଗ୍ରହ, ରୁଚି
ଯେ ଯାହା ଯେମିତି କରୁଛି
ତାହାକୁ କରିବାକୁ ଦେଲେ
ସଂସାର ଶାଂତ ହୋଇ ଚଳେ
ସ୍ମୃତିରୁ ଝରିଲେ ଅକ୍ଷର
ତା’ ହୁଏ ଶ୍ରେଷ୍ଠ ପୁରସ୍କାର
ନିଜକୁ ନିଜେ ସଂବର୍ଧିତ
କରି ହୁଏଁ ମୁଁ ଆନଂଦିତ
ଅପୁରସ୍କୃତ ବହୁ ବହି
ପଢ଼ିଛିଁ ଯେଣୁ ମନ ଦେଇ
ଜାଣିଛିଁ ଏହାର ଗୁମର
ତେଣୁ ମୁଁ ହୁଏଁନି ଆତୁର
ବହି ପଢ଼ି ନ ଥିବା ଲୋକ
ହୁଅଂତି ଯେଣୁ ବିବେଚକ
ତାଂକର ମତ, ଅଭିମତ
ବହିକୁ କରେନି ଉନ୍ନତ
ଏ ସବୁ ଚିଂତା ବ୍ୟକ୍ତିଗତ
ମୋ ପାଇଁ ଅଟେ ମୋର ସତ
ହେଲେ ସମ୍ମତ, ଅସମ୍ମତ
ଲେଖା ଚାଲିବ ଅବିରତ
ସମୂହ ସହିତ ସାହିତ୍ୟ
ରହିଲେ ହୁଏନାହିଁ ଭୃତ୍ୟ
ଅଥବା କାହାର ମାଲିକ
ହୁଏ ତା ସ୍ବତଂତ୍ର ଏକକ
ବିରୋଧୀ ଅବା ସମର୍ଥକ
ହୁଅଂତି ନେତାଳିଆ ଲୋକ
ଲେଖକେ ହୋଇ ନିରପେକ୍ଷ
ଦେଖଂତି ବାସ୍ତବ ଆଲୋକ
ସାହିତ୍ୟ ହେଲେ ସମନ୍ବୟୀ
ସବୁ ବିଚାର ପାଇଁ ଦାୟୀ
ହୋଇ କରେ ଭାବ ସଂଚାର
ସମସ୍ତଂକର ଉପକାର
ଲେଖକ କଲେ ପକ୍ଷପାତ
ସାହିତ୍ୟ ହୁଏ ଅନାଦୃତ
ନିଷ୍ପକ୍ଷତା ହିଁ ମୁଖ୍ଯ ଗୁଣ
ତା’ ଯୋଗୁଁ ବଢ଼ଇ ସମ୍ମାନ
ନ ଥିଲେ ପାତରଅଂତର
ସାହିତ୍ୟ ହୁଏ ମନୋହର
ସାହସୀ, ସୁଂଦର, ଉଦାର
ଭାବନା ହୁଏ ହିତକର
ମତ-ଆଶ୍ରିତ ସଂକୀର୍ଣତା
ଘଟାଏ ଯେଣୁ ଅସ୍ଥିରତା
ତାହାକୁ କରିଲେ ବର୍ଜନ
ସାହିତ୍ୟ ହୁଏ ସତ୍ୟପୂର୍ଣ
Comments are closed.