ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଧୀରେ ବ୍ୟାପେ କୃତି ଯାହାର
ତାହା ଯୋଗୁଁ ହିଁ ଉପକାର
ହୁଅଇ ଜନ ସମାଜରେ
ଲୋକେ ମାନଂତି ଆଦରରେ
ତତ୍କାଳ ମିଳିଲେ ସମ୍ମାନ
ତହିଁର ଦୀପ୍ତି କ୍ରମେ ମ୍ଳାନ
ହେବା ଯେହେତୁ ସ୍ବାଭାବିକ
ବୁଝଂତିନାହିଁ ବହୁ ଲୋକ
କରିଲେ ଗୁରୁତ୍ୱ ଆରୋପ
ପ୍ରତିଭା ପାଇଥାଏ ଲୋପ
ଏଠୁ ସେଠାକୁ ଯାଇ, ଆସି
ବ୍ୟକ୍ତି ପାରେ ନିଜକୁ ନାଶି
କ୍ଷଣିକ ପ୍ରସିଦ୍ଧି ସକାଶେ
ଯେ ଉଡ଼େ ସଦା ଉଚ୍ଚାକାଶେ
ମାଟିକୁ ଆସେ ଯେବେ ଫେରି
କିଛି ବି ପାରେନାହିଁ କରି
ଲେଖକ ହୋଇଲେ ସଭାସ୍ଥ
ହୁଏନି ସାହିତ୍ୟର ହିତ
ହେଲେ ହେଁ ଏହା ସତ କଥା
ଗ୍ରହଣ କରେନାହିଁ ମଥା
ଯାହା ଥାଏ, ତାହା ହିଁ ମାଗି
ନ ହେଉଁ ଖ୍ୟାତି-ଅନୁରାଗୀ
ନିଜକୁ ନିଜେ ହିଁ ନିର୍ଦେଶ
ଦେଲେ ହିଁ ମିଳିବ ସଂତୋଷ
ଖ୍ୟାତି ବିଦ୍ୟୁତାଲୋକ ପରି
ଦିଶେ ଓ ଯାଏ ଅପସରି
ଦେଖାଇ ପାରେନାହିଁ ପଥ
କ୍ଷଣକ ପାଇଁ ହୁଏ ଦୀପ୍ତ
ଏହି କ୍ଷଣିକ ତୃପ୍ତି ପାଇ
ଯେ ପାରେ ଉଲ୍ଲସିତ ହୋଇ
ତା’ର ସାହିତ୍ୟ ପ୍ରବଣତା
ଅଟଇ ମନଗଢ଼ା କଥା
ଭାଷା ସହିତ ହେଲେ ଲିପ୍ତ
ସାଧକ ହୁଏନାହିଁ ତୃପ୍ତ
ରହିଛି ବହୁ ସଂଭାବନା
କିପାଇଁ କରୁଥିବା ମନା
ନ ହୋଇ କାହା ପକ୍ଷଧର
ଭାବ ବାଂଟିଲେ ନିରଂତର
କେବଳ ସତ୍ୟର ପ୍ରଚାର
କରିଲେ ହୁଏ ହିତକର
ମତ ଓ ସତ୍ୟର ସଂଘର୍ଷ
ଅଭିବ୍ୟକ୍ତିକୁ କରେ ନାଶ
ଭାଷାର ଶ୍ରୀବୃଦ୍ଧି ସକାଶେ
ସତ୍ୟକୁ ରଖୁଁ ନିଜ ପାଶେ
Comments are closed.