Latest Odisha News

କଳାହାଣ୍ଡିରେ କୁରୁକ୍ଷେତ୍ର: ମାଳବିକା ବନାମ ଲମ୍ବୋଦର

କଳାହାଣ୍ଡି: କାହାର ହେବ କଳାହାଣ୍ଡି? ଚବିଶ କୁରୁକ୍ଷେତ୍ରରେ ଯୋଦ୍ଧା ପ୍ରସ୍ତୁତ । କଳାହାଣ୍ଡି କବଜା କରିବେ କି ରାଣୀ? ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି । କାମ କରିବ କି ବିଜେପି ରଣନୀତି? ନା ଲମ୍ବୋଦର ନିଆଲ ଉଡାଇବେ ବିଜୟ ବାନା? ଏଯାଏଁ ପତ୍ତା ଖୋଲିନି କଂଗ୍ରେସ । ଚବିଶରେ କାହାର ହେବ କଳାହାଣ୍ଡି?

ଦିନେ ବିଜେପିର ଗଡ ଥିବା କଳାହାଣ୍ଡି ଗତ ତିନୋଟି ନିର୍ବାଚନରେ ତିନି ପ୍ରମୁଖ ଦଳକୁ ସୁଯୋଗ ଦେଇଛି । ଏଥର କଳାହାଣ୍ଡିରେ କାହାର ହେବ ରାଜାଭିଷେକ? କଳାହାଣ୍ଡି ଲୋକସଭା ପାଇଁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ କାର୍ଡ ଖେଳିଛି ବିଜେଡି । ଖରିଆର ବିଧାନସଭା ସିଟ୍ ରୁ ଦୁଇ ଥର ପରାଜିତ ହୋଇଥିବା ଲମ୍ବୋଦର ନିଆଲଙ୍କୁ ଟିକେଟ୍ ଦେଇ ବଡ ସରପ୍ରାଇଜ ଦେଇଛି ଦଳ । ଉକ୍ରଳ ଯାଦବ ମହାସଭାର ମହିସଚିବ ରହିଛନ୍ତି ଲମ୍ବୋଦର । ଆସନରେ ୨୫ପ୍ରତିଶତ ଯାଦବ ଭୋଟ୍ ଉପରେ ନଜର ରଖିଛି ବିଜେଡି ।

ବିଜେପି ସିଟିଂ ଏମପି ବସନ୍ତ ପଣ୍ଡାଙ୍କ ଜାଗାରେ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି । ରାଜନୀତିରେ ନୂଆ ହେଲେ ବି ରାଜନୀତିକୁ ଖୁବ୍ ପାଖରୁ ଦେଖିଛନ୍ତି ମାଳବିକା । ତାଙ୍କ ସ୍ୱାମୀ ଅର୍କ କେଶରୀ ଦେଓ ୨୦୧୪ରେ ବିଜେଡିରୁ କଳାହାଣ୍ଡି ସାଂସଦ ନିର୍ବାଚିତ ହୋଇଥିଲେ । ରାଜପରିବାର ପ୍ରତି କଳାହାଣ୍ଡି ଭୋଟରଙ୍କ ସମର୍ଥନ ରହିଛି । କଳାହାଣ୍ଡି ରାଜପରିବାରର ପ୍ରତାପ କେଶରୀ ଦେଓ ୫ ଥର, ବିକ୍ରମ କେଶରୀ ଦେଓ ୩ ଥର ଓ ଅର୍କ କେଶରୀ ଦେଓ ଥରେ ସାଂସଦ ନିର୍ବାଚିତ ହୋଇଛନ୍ତି । ତେଣୁ ବିଜେପି ରାଜପରିବାରର ମାଳବିକାଙ୍କୁ ପ୍ରାର୍ଥୀ କରି କଳାହାଣ୍ଡିରେ ଗୋଟି ଚଳାଇଛି । ତୃଣମୂଳରେ ବି ବିଜେପିର ସଂଗଠନ ଭଲ । ତେଣୁ ମହିଳା କାର୍ଡ ଖେଳି କଳାହାଣ୍ଡି ବିଜୟ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖକୁ ଯିବେ ମାଳବିକା ।

ବିଜେଡି ବିଜେପି କଳାହାଣ୍ଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ପଛରେ ରହିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଦୁଇ ଥର ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହେବା ପରେ ଏଥର ନର୍ଲା ବିଧାନସଭା ସିଟରୁ ଲଢିବାକୁ ସଂକେତ ଦେଇଛନ୍ତି । ଏଥର ଦଳ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନକୁ ନେଇ ରହିଛି କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ । ଏହା ମଧ୍ୟରୁ ବିଜେଡି ୫ଟି, କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ସିଟ୍ ଜିତିଥିଲେ । ଲୋକସଭାରେ ବିଜେପିର ବସନ୍ତ ପଣ୍ଡା ୪ ଲକ୍ଷ ୩୩ ହଜାର ଭୋଟ୍ ପାଇ ବିଜୟୀ ହୋଇଥିଲେ । ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ୨୬ ହଜାରରୁ ଅଧିକ ଭୋଟ୍ ରେ ପରାଜିତ କରିଥିଲେ ବସନ୍ତ ପଣ୍ଡା । ତେବେ ଏଥର ଦଳବଦଳ ସହ କଳାହାଣ୍ଡି ରାଜନୀତି ସମୀକରଣରେ ଅନେକ ପରିବର୍ତ୍ତନ ହୋଇଛି । ତେଣୁ କାହା ଆଡକୁ ଢଳିବେ ଭୋଟର, ତାହା ଚବିଶ ଫଳାଫଳ କହିବ ।

Comments are closed.