Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପୂର୍ବରୁ ଏହି ଖେଳାଳିଙ୍କ ଖରାପ ପ୍ରଦର୍ଶନ ନେଇ ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ୨୦୨୪ ସଂସ୍କରଣ ଜୁନରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦେଶ ସେମାନଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି । ଭାରତରେ ଏବେ ଆଇପିଏଲ ଚାଲିଥିବାରୁ ବିଶ୍ୱକପ ପୂର୍ବରୁ ଏହା ଏକ ଭଲ ପ୍ଲାଟଫର୍ମ ସାବ୍ୟସ୍ତ ହେବ ବୋଲି ସମୀକ୍ଷକମାନେ ଆଶାୟୀ ଅଛନ୍ତି । ତେବେ ଏ ପର୍ଯ୍ୟନ୍ତ ଆଇପିଏଲର କେତେକ ଖେଳାଳିଙ୍କ ପ୍ରଦର୍ଶନ ଭାରତକୁ ଚିନ୍ତାରେ ପକାଇଛି । ସେମାନେ ହେଲେ ଜିତେଶ ଶର୍ମା, ଯଶସ୍ୱୀ ଜୈସୱାଲ, ମହମ୍ମଦ ସିରାଜ, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା । ପଞ୍ଜାବ କିଙ୍ଗସର ୱିକେଟ କିପର ଜିତେଶ ୪ଟି ମ୍ୟାଚରେ ୫୮ ରନ କରିଛନ୍ତି । ଅବଶ୍ୟ ଜିତେଶଙ୍କ ଖରାପ ପ୍ରଦର୍ଶନ ରିଷଭ ପନ୍ତଙ୍କ ପାଇଁ ବାଟ ଖୋଲିପାରେ ।

ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କମାଲ କରିଥିବା ଯଶସ୍ୱୀ ୩ଟି ମୁକାବିଲାରେ ମାତ୍ର ୩୯ ରନ କରିଛନ୍ତି । ଟି୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ସହ ସେ ଓପନିଂ କରିବେ ବୋଲି ଆଶା କରାଯାଉଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ଲୟକୁ ଫେରି ନାହାନ୍ତି । ସେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ୪ଟି ମ୍ୟାଚରେ ଗୋଟିଏ ୱିକେଟ ନେଇଥିବା ବେଳେ ୬୦ଟି ବଲର ସମ୍ମୁଖୀନ ହୋଇ ଗୋଟିଏ ଛକା ମାରିଛନ୍ତି ।

ଯଶପ୍ରୀତ ବୁମରାହଙ୍କ ସହ ଯେତେଦୂର ସମ୍ଭବ ମହମ୍ମସ ସିରାଜ ନୂଆ ବଲରେ ବୋଲିଂ କରି ପାରନ୍ତି । ଅଥଚ ସେ ୪ଟି ମ୍ୟାଚରେ ୩ଟି ୱିକେଟ ନେଇଥିବା ବେଳେ ବ୍ୟୟବହୂଳ ସାବ୍ୟସ୍ତ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ମ୍ୟାଚରେ ୬୯ ରନ କରିଥିବା ବେଳେ ୧୧ ଇକୋନୋମୀ ରେଟରେ ଗୋଟିଏ ୱିକେଟ ହାସଲ କରିଛନ୍ତି । ଅବଶ୍ୟ ଆଇପିଏଲରେ ଆହୁରି ଅନେକ ମ୍ୟାଚ ଖେଳାଯିବାକୁ ଥିବାରୁ ଖୁବ ଶୀଘ୍ର ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି ।

Comments are closed.