Latest Odisha News

BREAKING NEWS

ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍‌ କଭର ପେଜ୍ ରେ ମୋଦି

ନୂଆଦିଲ୍ଲୀ: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଦୀର୍ଘ ୯୦ ମିନିଟ୍‌ ଧରି ନ୍ୟୁଜଓ୍ୱିକ୍‌ କୁ ଦେଇଥିବା ସାକ୍ଷାତକାରରେ ମୋଦି ଚାଇନା ଠାରୁ ଆରମ୍ଭ କରି ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ନ୍ୟୁଜଓ୍ୱିକ୍‌ କୁ ସାକ୍ଷାତକାର୍ ଦେଇ ମୋଦି କହିଛନ୍ତି, ଭାରତ ପାଇଁ ଚୀନ ସହ ସମ୍ପର୍କ ବେଶ୍ ମହତ୍ୱ ରଖେ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଅଟେ । ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆଲୋଚନା କରିବା ଉଚିତ୍ । ଏହାଦ୍ୱାରା ବିବାଦର ସମାଧାନ ହୋଇପାରିବ । ଭାରତ ଓ ଚୀନ୍‌ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ବ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ମୋଦି ଆହୁରି କହିଛନ୍ତି ଯେ, ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ହାର ବଢ଼ିଛି । ଆମେ ପରିବର୍ତ୍ତନଶୀଳ ଅର୍ଥନୈତିକ ସଂସ୍କାର ଆପଣାଇଛୁ । ଦ୍ରବ୍ୟ ଏବଂ ସେବା କର, କର୍ପୋରେଟ୍ ଟିକସ ହ୍ରାସ, ଦେବାଳିଆ ସଂକେତ, ଶ୍ରମ ଆଇନରେ ସଂସ୍କାର ଏବଂ ଏଫଡିଆଇ ମାନଦଣ୍ଡରେ କୋହଳ କରାଯାଇଛି । ଫଳସ୍ୱରୂପ, ସହଜରେ ବ୍ୟବସାୟ କରିବା ଦିଗରେ ଆମେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛୁ ବୋଲି ମୋଦି କହିଛନ୍ତି ।

ମୋଦି ଆହୁରି କହିଛନ୍ତି, ଆଗରୁ ଲୋକେ କେବଳ ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ ତାହା କେବେ ପୂରଣ ହେଉନଥିଲା । ଆମ ସରକାର ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ଆଦର୍ଶ ଅନୁଯାୟୀ କାମ କରୁଛି । ଭାରତର ଅର୍ଥବ୍ୟବସ୍ଥା ଦ୍ରୁତି ଗତିରେ ବଢ଼ି ଚାଲିଛି । ଖୁବଶୀଘ୍ର ଭାରତର ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବ ବୋଲି ଆଶା ରହିଛି ।

Comments are closed.