ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ନିର୍ବାଚନର ପର୍ବ । ସାଧାରଣ ନିର୍ବାଚନ-୨୦୨୪ ଅବସରରେ ସରଗରମ ରହିଛି ଦେଶର ମାହୋଲ । ଏହାରିଭିତରେ ରାଜ୍ୟରେ ମତଦାନ ଭଳି ଗଣତନ୍ତ୍ରର ମହାନ ପର୍ବରେ ଏକକାଳୀନ ସମସ୍ତ ନାଗରିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ଏହା ସହ ଛାତ୍ରଛାତ୍ରୀମାନେ ମଧ୍ୟ ଆଗାମୀ ଦିନର କର୍ଣ୍ଣଧାର ଓ ଗଣତନ୍ତ୍ରର ସୁରକ୍ଷାର ଧାରକ ହୋଇଥିବାରୁ ରାଜ୍ୟରେ ମତଦାନ ବୃଦ୍ଧି ଦିଗରେ ସଚେତନତା ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ସେ କହିଛନ୍ତି । ଚଳିତ ମେ’ ୩ ଅର୍ଥାତ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲ, କଟକର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ଶ୍ରୀ ଧଳ ଏହା କହିଛନ୍ତି ।
ବାର୍ତ୍ତାଳାପବେଳେ ଭାରତର ନିର୍ବାଚନ ପ୍ରକ୍ରିୟା ସଂପର୍କରେ ଛାତ୍ରଛାତ୍ରୀମାନଙ୍କର ଜାଣିବାର ଉତ୍ସାହ ଲକ୍ଷ୍ୟ କରି ଶ୍ରୀ ଧଳ କହିଛନ୍ତି ଯେ, ମତଦାନ ହେଉଛି ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ମହାନ ପର୍ବ । ଏହି ପର୍ବରେ ସମସ୍ତ ନାଗରିକ ସାମିଲ ହେବା ଦରକାର । ସମସ୍ତ ନାଗରିକ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହେବା ସହ ଦେଶ ସଶକ୍ତ ହେବ । ମୁଖ୍ୟତଃ ଯେଉଁମାନେ ଉଦାସୀନତା କାରଣରୁ ମତଦାନରୁ ବିରତ ରହୁଛନ୍ତି ସେମାନଙ୍କୁ ସଚେତନ କରାଇବା ଦରକାର । ଏଣୁ ଛାତ୍ରଛାତ୍ରୀମାନେ ନିଜ ବାପାମାଆ, ପରିବାରର ଅନ୍ୟ ସାବାଳକମାନଙ୍କୁ ଧାର୍ଯ୍ୟ ତାରିଖରେ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିବା ନିମନ୍ତେ ପ୍ରବର୍ତ୍ତାଇବାକୁ କହିଥିଲେ ।
ଶ୍ରୀ ଧଳ ପୁଣି କହିଥିଲେ ଯେ, ଦେଶରେ ଭାରତ ନିର୍ବାଚନ ଆୟୋଗ ଭୋଟ୍ ହାର ବୃଦ୍ଧି ପାଇଁ ବହୁବିଧ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ଏସ୍ଭିଇଇପି) ଜରିଆରେ ବିଭିନ୍ନ ପ୍ରକାର ଭୋଟର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ଦ୍ୱାରା ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଯୁବ ଭୋଟର, ମହିଳା, ଭିନ୍ନକ୍ଷମ ଭୋଟର, ଆଦିମ ଜନଜାତି ସମୂହ ତଥା ବରିଷ୍ଠ ମତଦାତାଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏପରିକି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ହେବେ, ସେମାନଙ୍କ ପାଇଁ ହୋମ୍ ଭୋଟିଂ ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମମାନଙ୍କ ପାଇଁ ମତଦାନ କେନ୍ଦ୍ରରେ ହ୍ୟୁଲ୍ଚେୟାର ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରରେ ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍ମାନଙ୍କୁ ସେ୍ୱଚ୍ଛାସେବୀ ଭାବେ ନିୟୋଜିତ କରାଯିବା କଥା ମଧ୍ୟ ଶ୍ରୀ ଧଳ କହିଥିଲେ ।
ନିର୍ବାଚନ ଓ ନିର୍ବାଚନ ପରିଚାଳନା ସଂପର୍କରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ୧୯୫୦ ମସିହା ଜାନୁଆରୀ ୨୫ ତାରିଖରେ ଭାରତ ନିର୍ବାଚନ ଆୟୋଗ ଗଠନ, ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବା, ୧୯୫୧-୫୨ ମସିହାରେ ଭାରତରେ ପ୍ରଥମ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପରିଚାଳନା ଏବଂ ପରବର୍ତ୍ତୀ ସମୟରେ ନିର୍ବାଚନ ପରିଚାଳନା କିପରି ହୋଇଥିଲା ତାହା ଅବତାରଣା କରିଥିଲେ ।
ମତଦାନ ବୃଦ୍ଧି ପାଇଁ ନାଗରିକମାନଙ୍କ ମନରେ ଉତ୍ସାହ ଜାଗ୍ରତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଭୋଟର ସଚେତନତା ସଂଗୀତ ଛାତ୍ରଛାତ୍ରୀମାନଙ୍କୁ ଶୁଣାଯାଇଥିଲା । ଏତଦ୍ ବ୍ୟତୀତ ବୁଥ୍ ସ୍ତରୀୟ ଅଧିକାରୀ ମାସ୍କଟ ‘ମିତା ଦିଦି’ ଜରିଆରେ କିପରି ଭୋଟର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ଅବଗତ କରାଇଥିଲେ । ଗ୍ରାମାଞ୍ଚଳରେ ମତଦାନ ହାର ଉତ୍ସାହଜନକ ଥିବାବେଳେ ଭୁବନେଶ୍ୱର ସମେତ ଅନ୍ୟ ସହରାଞ୍ଚଳରେ ମତଦାନ ହାର କମ୍ ରହୁଛି । ଭୁବନେଶ୍ୱର ସହରାଞ୍ଚଳରେ ମତଦାନ ହାର ବୃଦ୍ଧି ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆସନ୍ତା ମେ’ ୨୫ ତାରିଖ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯିବ । ଏଣୁ ସମସ୍ତେ ଯେପରି ମତଦାନ କରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏକକାଳୀନ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ କରିବା ପାଇଁ ନିଆଯାଇଥିବା ବିବିଧ ପଦକ୍ଷେପ ଉପରେ ବୁଝାଇଥିଲେ । ୨୦୨୪ ଅପ୍ରେଲ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୩ କୋଟି ୩୬ ଲକ୍ଷ ୧୯ ହଜାର ୨୪୪ ଜଣ ମତଦାତା ପଞ୍ଜୀକୃତ ହୋଇଥିବାବେଳେ ସେଥି ମଧ୍ୟରୁ ୧ କୋଟି ୭୦ ଲକ୍ଷ ୨୬ ହଜାର ୬୮୧ ଜଣ ପୁରୁଷ ଭୋଟର, ୧ କୋଟି ୬୫ ଲକ୍ଷ ୮୯ ହଜାର ୧୦୫ ଜଣ ମହିଳା ଭୋଟର ଏବଂ ୩ ହଜାର ୪୫୮ ଜଣ ତୃତୀୟ ଲିଙ୍ଗ (ଟ୍ରାନ୍ସଜେଣ୍ଡର) ଭୋଟର ଅଟନ୍ତି । ୧୮ ରୁ ୧୯ ବର୍ଷ ବର୍ଗରେ ୮ ଲକ୍ଷ ୭୧ ହଜାର ୫୪ ଜଣ ମତଦାତା ପଂଜୀକୃତ ହୋଇଥିବାବେଳେ ୨୦ରୁ ୨୯ ବର୍ଷ ବୟସ ବର୍ଗରେ ୭୦ ଲକ୍ଷ ୪୨ ହଜାର ୫୬୪ ଜଣ ଭୋଟର ପଂଜୀକୃତ ହୋଇଛନ୍ତି । ସେହିପରି ୫ ଲକ୍ଷ ୨୩ ହଜାର ୨୨୪ ଜଣ ଭିନ୍ନକ୍ଷମ ଏବଂ ୮୦ ବର୍ଷରୁ ଊଦ୍ଧ୍ୱର୍ ୬ ଲକ୍ଷ ୮୬ ହଜାର ୮୦୮ ଜଣ ମତଦାତା ପଂଜୀକୃତ ହୋଇଛନ୍ତି ।
ରାଜ୍ୟରେ ୩୦ ହଜାର ୬୫୪ଟି ସ୍ଥାନରେ ୩୭ ହଜାର ୮୦୯ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଥିଲେ । ଏତଦ୍ ବ୍ୟତୀତ ସ୍ପର୍ଶକାତର ଅଞ୍ଚଳରେ ନିର୍ବାଚନ ପରିଚାଳନା, ଆଇନଶୃଙ୍ଖଳା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିର୍ବାଚନ ପରିଚାଳନା ସଂକ୍ରାନ୍ତରେ ମଧ୍ୟ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ମଧ୍ୟ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କର ସନ୍ଦେହମୋଚନ କରିଥିଲେ । ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂହଙ୍କ ସମେତ ଅନ୍ୟ ଅଧିକାରୀ, ସାଇ ଇଣ୍ଟରନେସନାଲ ରେସିଡେନ୍ସିଆଲ୍ ସ୍କୁଲ, କଟକର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
Comments are closed.