ସୁଜାତା ମିଶ୍ର
ସିନ୍ଦୂରିତ ମୁହୂର୍ତ୍ତରେ
ସକାଳ ଓହ୍ଲାଇ ଆସେ
ଘାସ ଗାଲିଚାର
କାକର ବିନ୍ଦୁରେ,
ପକ୍ଷୀ ଶାବକଙ୍କ
କିଚିରି ମିଚିରି କୋଳାହଳ
ଭିତରେ
ସନ୍ତର୍ପଣରେ…।
ସକାଳ ଆସିବାର ଆଶା ଥାଏ ବୋଲି
ନିଦ୍ରାହୀନତା ଭୋଗୁ ଥିବା
ମଣିଷଟି ଚୁପ୍ ଚାପ୍
ଭୋଗି ନିଏ
ରାତିର ଅନ୍ଧାର ,
ତକିଆ ଭିଜେଇ ଥିବା
ସାରା ରାତିର ଲୁହ ପୋଛି
ଝୁନୁ ବୋଉ ଖରକୁ ଥାଏ
ଅଗଣା ଓ ଘର!
କେହି ଜଣେ
ବିଷାଦ ସବୁ ଧୋଇ ନେଇ
ଜହ୍ନ ଆଲୁଅରେ,
ଅନ୍ଧାରକୁ ପଛ କରି ଠିଆ ହୋଇଥାଏ
ପାହାନ୍ତି ତାରାର ପଲକ ଭିତରେ!
ରାତିର ଛଳନା ସବୁ ଛଡ଼େଇ ।
ଦେହରୁ ମନରୁ..
ଯନ୍ତ୍ରଣା ସବୁ ଝାଡ଼ି ଝୁଡ଼ି
ବାସି ଶେଯର ଭାଙ୍ଗରୁ..
ନଦୀ କୂଳେ ଗ୍ରାମ ବଧୂ
ମୁହଁ ଧୋଇ ନିଏ ..
ଥଣ୍ଡା ପାଣିର ପରଶେ
ଲୁଚାଇ ନିଏ ଲୁହର ଦାଗ..,
ସକାଳର ଶୀତଳ ବାଆ
ତାର ଭିଜା ପଣତ ଆଉଁସେ!
ସକାଳ ପହଁରି ଯାଏ
ଅନ୍ୟ ମନସ୍କତାର କୁହୁଡ଼ି ।
ଚା କପ୍ ଆଉ ଖବର କାଗଜ ପୃଷ୍ଠାରେ
ପୁଲକିତ
ମୁହୂର୍ତ୍ତକୁ କୋଳାଗ୍ରତ କରି,
ବିଦ୍ୟାଳୟ ପରିସର
ଶିଶୁଙ୍କର ସାମୂହିକ
ପ୍ରାର୍ଥନାର ସ୍ୱରେ
ଉଠେ ଭରି!
ସକାଳ ଆସେ ବୋଲି
ମନ ତଳେ ଜାଗେ ଆସ୍ଥା..
ଜାଗେ ପ୍ରତିଶ୍ରୁତି,
ଅଞ୍ଜୁଳାଏ ପାଣିରେ
ପ୍ରଭାତ ରବିଙ୍କୁ
ଅର୍ଘ୍ୟ ବାଢ଼ି..
ସୂର୍ଯ୍ୟସ୍ନାତ ଏ ପ୍ରାଣରୁ
ଝରି ଯାଏ
ଈଶ୍ବରଙ୍କ ସ୍ତୁତି!
କସ୍ମୋପଲିସ
ଭୁବନେଶ୍ୱର
Comments are closed.