Latest Odisha News

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ୨ ଜଣ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ପୁରୀ/ଭୁବନେଶ୍ବର: ପୁରୀ ଭଉଁରୀ ଅବସରରେ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଆହତ ହୋଇଥିବା ଆହୁରି ୨୪ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବାଣ ଫୁଟାଇବାକୁ ନେଇ କୌଣସି ଅନୁମତି ଦିଆୟାଇନଥିବାବେଳେ କିଏ ଓ କାହିଁକି ବାଣ ଫୁଟାଇଥିଲେ ସେନେଇ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ।

ଅନ୍ୟପଟେ, ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ଦିଗରେ ପୁରୀ ଜିଲ୍ଲାପାଳ ପଦକ୍ଷେପ ନେଇ ସାରିଥିବା କୁହାଯାଇଛି । ସରକାର ଏହି ସ୍ଥିତି ଉପରେ ନଜର ରଖିଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ ୩୦ରୁ ଅଧିକ ଜଣ ଆହତ ହୋଇଥିଲେ । ପୁରୀରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଆହତଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments are closed.