Latest Odisha News

BREAKING NEWS

“ଏକ୍ ପେଡ୍ ମାଆ କେ ନାମ୍”: ପର୍ଯ୍ୟଟନ ଭବନରେ ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ଆରମ୍ଭ ହୋଇଛି “ଏକ୍ ପେଡ୍ ମାଆ କେ ନାମ୍” ଅଭିଯାନ କାର୍ଯ୍ୟକ୍ରମ । ଏହିକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଛ ଲଗାଇଛନ୍ତି । ଭୁବନେଶ୍ବର ସ୍ଥିତ ପର୍ଯ୍ୟଟନ ଭବନ ପରିସରରେ “ବଉଳ” ଗଛର ଚାରା ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ମାଆ କୁ ସମ୍ମାନ ଦେବା ଓ ଓଡ଼ିଶାକୁ ଏକ ସବୁଜ ରାଜ୍ୟରେ ପରିଣତ କରିବା ଦିଗରେ ଗୁରୁତ୍ବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।

ରାଜ୍ୟରେ ସବୁଜିମାର ଆବଶ୍ୟକତା ରହିଛି ବୋଲି ସେ ମତ ବ୍ୟକ୍ତ କରିଛନ୍ତି । ଏଥିସହିତ ଏହି ଅଭିଯାନକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ସେ ଆଲୋକପାତ କରିଥିଲେ । ପର୍ଯ୍ୟଟନ ଅଧିକାରୀମାନେ ରାଜ୍ୟସାରା ଏହାର ଅଧିକ ପ୍ରଚାର ପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେବା ସହ ଏହି ଉତ୍ତମ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ଏହାସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପାନ୍ଥନିବାସ ପରିଦର୍ଶନ କରି ସେଠାରେ ଚାରାରୋପଣ କରିଥିଲେ ଓ ବିଭିନ୍ନ ଅଧିକାରୀମାନଙ୍କ ସହ ପାନ୍ଥନିବାସର ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଆଲୋଚନାରେ ପର୍ଯ୍ୟଟକଙ୍କୁ ଉନ୍ନତ ସେବା ତଥା ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ନୂତନ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି, ଯାହା ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ନୂତନ ଅଭିଜ୍ଞତା ଆଣିଦେବ ।

Comments are closed.