Latest Odisha News

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି କେତେ ଅଳଙ୍କାର?

ଭୁବନେଶ୍ବର: ସରିବ ଅପେକ୍ଷା । ଆସନ୍ତା ୧୪ତାରିଖରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ୧୪ରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି । କମିଟିର ଦ୍ବିତୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ପ୍ରାଥମିକତା ଭିତ୍ତିରେ ଚୟନ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କଣ ଅଛି? ତାହା ଏବେବି ଅନେକଙ୍କ ପାଇଁ ରହସ୍ୟ ହୋଇରହିଛି ।

ରହସ୍ୟମୟ ରତ୍ନଭଣ୍ଡାର

ଶ୍ରୀମନ୍ଦିର ଜଗମୋହନର ଉତ୍ତର ପାର୍ଶ୍ବରେ ରହିଛି ରତ୍ନଭଣ୍ଡାର । ମହାପ୍ରଭୁଙ୍କୁ ବିଭିନ୍ନ ସମୟରେ ଭକ୍ତଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଅଳଙ୍କାରକୁ ରତ୍ନଭଣ୍ଡାରରେ ଗଚ୍ଛିତ ରଖାଯାଇଛି । ମାଦଳା ପାଞ୍ଜି ତଥ୍ୟ ଅନୁସାରେ, ଶ୍ରୀଜଗନ୍ନାଥଙ୍କ ସୁନା ଅଳଙ୍କାର ପ୍ରସ୍ତୁତି ପାଇଁ ରାଜା ଅନଙ୍ଗଭୀମ ଦେବ ୨ଲକ୍ଷ ୫୦ହଜାର ମାଢ ସୁନା ଦେଇଥିଲେ । ଗୋଟିଏ ମାଢ ଅର୍ଥାତ ଅଧା ତୋଳା ସୁନା । ବିଶେଷ କରି ସୂର୍ଯ୍ୟବଂଶୀ ଶାସକମାନେ ମହାପ୍ରଭୁଙ୍କ ପାଇଁ ସୁନା ଓ ମୂଲ୍ୟବାନ ଅଳଙ୍କାର ଦେଇଥିଲେ । ୧୪୬୬ମସିହାରେ ଗଜପତି କପିଳେନ୍ଦ୍ର ଦେବ ବହୁ ପରିମାଣରେ ସୁନା, ଅଳଙ୍କାର ଓ ବାସନ ପ୍ରଦାନ କରିଥିଲେ । ଯାହାକି ୧୮୯୩ମସିହା ପର୍ଯ୍ୟନ୍ତ ବ୍ୟବହାର ହେଉଥିବା ଐତିହାସିକ ଆରଡି ବାନାର୍ଜୀ ଉଲ୍ଲେଖ କରିଛନ୍ତି ।

ବାହାର ରତ୍ନଭଣ୍ଡାରରେ କେତେ ଅଳଙ୍କାର?

ଶ୍ରୀମନ୍ଦିରରେ ରହିଥିବା ରତ୍ନଭଣ୍ଡାରରେ ମୁଖ୍ୟତଃ ଦୁଇଟି ଭାଗ ରହିଛି । ଭିତର ଭଣ୍ଡାର ଓ ବାହାର ଭଣ୍ଡାର । ବାହାର ଭଣ୍ଡାରରେ ମୁଖ୍ୟତଃ ଶ୍ରୀଜିଉଙ୍କ ନିୟମିତ ବ୍ୟବହାର ହେଉଥିବା ଅଳଙ୍କାର ରଖାଯାଏ । ଏଠାରେ ୧୫୦ପ୍ରକାରର ସୁନା ଅଳଙ୍କାର ରହିଛି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରାଙ୍କର ସୁନା ମୁକୁଟ ୬୧୦, ୪୩୪ ଓ ୨୭୫ ତୋଳାର ରହିଛି । ସେହିପରି ୧୨୦ ତୋଳା ଲେଖାଏଁ ସୁନାରେ ତିଆରି ତିନିଟି ହରିଡାକଣ୍ଠି ମାଳୀ ରହିଛି । ଜଗନ୍ନାଥଙ୍କର ୮୧୮ ତୋଳା ଓ ବଳଭଦ୍ରଙ୍କ ୭୧୦ ତୋଳା ସୁନାରେ ତିଆରି ଶ୍ରୀପୟର ରହିଛି । ଅନେକ ଅଳଙ୍କାରରେ ମୂଲ୍ୟବାନ ରତ୍ନପଥର ଖଚିତ କରାଯାଇଛି ।

ଭିତର ରତ୍ନଭଣ୍ଡାରରେ କେତେ ଅଳଙ୍କାର?

ଭିତର ରତ୍ନଭଣ୍ଡାରରେ ୧୮୦ ପ୍ରକାରର ଅଳଙ୍କାର ରହିଛି । ଖାଣ୍ଟି ସୁନାରେ ନିର୍ମିତ ୭୪ପ୍ରକାର ଅଳଙ୍କାର ରହିଛି । ଏହାମଧ୍ୟରୁ ଅନେକ ଅଳଙ୍କାରର ଓଜନ ଶହେ ତୋଳାରୁ ଅଧିକ । ସୁନା, ହୀରା, ମୋତି, ମାଣିକରେ ତିଆରି ଥାଳି ରହିଛି । ୧୪୬ଟି ରୂପାରେ ନିର୍ମିତ ଅଳଙ୍କାର ରହିଛି । ରୂପା ଅଳଙ୍କାର ଓଜନ ୫ଶହ ତୋଳାରୁ ଅଧିକ ରହିଛି। ରତ୍ନଭଣ୍ଡାରରେ ରହିଥିବା ଅଳଙ୍କାରକୁ ତିନିଟି ଶ୍ରେଣୀରେ ଭାଗ କରାଯାଇଛି । ଆଦୌ ବ୍ୟବହାର ହେଉନଥିବା ଅଳଙ୍କାର, ପର୍ବପର୍ବାଣୀରେ ବ୍ୟବହାର ହେଉଥିବା ଅଳଙ୍କାର ଓ ନିତିଦିନିଆ ବ୍ୟବହାର ହେଉଥିବା ଅଳଙ୍କାର ।

କେବେ ଖୋଲିଥିଲା ରତ୍ନଭଣ୍ଡାର ?

୧୯୭୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ବିଭିନ୍ନ ପ୍ରକାର ମୂଲ୍ୟବାନ ରତ୍ନ ସଂପର୍କରେ ଆକଳନ କରାଯାଇଥିଲା । ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଗୋଟି ଗୋଟି ଦେଖି ମାପଚୁପ କରି ପୁଣି ସଂରକ୍ଷିତ କରାଯାଇଥିଲା । ପ୍ରତିଟି ରତ୍ନ କି ପ୍ରକାରର, କେଉଁ ଧାତୁରେ ନିର୍ମିତ ଓ ତାର ଓଜନ କେତେ ସେନେଇ ତଥ୍ୟ ରଖାଯାଇଥିଲା । ଏପରିକି କେଉଁ ଅଳଙ୍କାରରେ ଲାଖ ଦିଆଯାଇଛି, କେଉଁ ଅଳଙ୍କାର ସୁନା ତାରରେ ଗୁନ୍ଥା ହୋଇଛି, କେଉଁ ଅଳଙ୍କାର ସହ ମୂଲ୍ୟବାନ ପଥର ଲାଗିଛି ସେନେଇ ଉଲ୍ଲେଖ କରାଯାଇଛି । ଏହାପରେ ୧୯୮୪ ମସିହାରେ ଶ୍ରୀଜିଉଙ୍କ ଅଳଙ୍କାର ମରାମତି ପାଇଁ ସୁନା, ରୁପା ଆବଶ୍ୟକ ପଡିବାରୁ ସେତେବେଳର ଶ୍ରୀମନ୍ଦିର ପ୍ରଶାସକ, ସେବାୟତ ଓ ଅଧିକାରୀ ଭିତର ଭଣ୍ଡାର ଖୋଲି ଆଣିଥିଲେ ।

ନିର୍ବାଚନ ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ପ୍ରସଙ୍ଗ କରିଥିଲା ବିଜେପି । ନିର୍ବାଚନ ଜିତିବା ପରେ ନୂଆ ବିଜେପି ସରକାର ରତ୍ନଭଣ୍ଡାର ଖୋଲିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ରତ୍ନଭଣ୍ଡାର ଯାଞ୍ଚ କମିଟିର ଦୁଇଥର ବୈଠକ ହୋଇଥିବା ବେଳେ ରାଜ୍ୟ ସରକାର ଅନୁମତି ଦେଲେ ୪୫ବର୍ଷ ପରେ ପୁଣି ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରର ଗଣତି ମଣତି କରାଯିବ ।

Comments are closed.