Latest Odisha News

ଧର୍ମଶାଳାରେ ବଲ୍ଲେ ବଲ୍ଲେ ପରେ ରାଜନଗରରେ ସ୍ବାଦ !

ଭୁବନେଶ୍ବର: ବଲ୍ଲେ ବଲ୍ଲେ ପରେ ସ୍ବାଦ । ଯାଜପୁର ପରେ କେନ୍ଦ୍ରାପଡା ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆସିଛି ଅଭିଯୋଗ । ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଭିତରକନିକାଠାରୁ ମାତ୍ର ୬ଶହ ମିଟର ଦୂରରେ ଦେଢ ଏକର ଜଙ୍ଗଲ ଜମିରେ ହୋଟେଲ ଓ ଲଜ୍ ତିଆରି ହୋଇଥିବା ଅଭିଯୋଗ କରିଥିଲେ ଭିତରକନିକା ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକେ । ଏହାପରେ ଆଜି ଜମି ମାପଚୁପ କରିଛି ଜିଲ୍ଲା ପ୍ରଶାସନ। ତହସିଲଦାର, ରାଜନଗର ବନବିଭାଗ ଓ ପୋଲିସ ସହାୟତାରେ ମାପଚୁପ କରାଯାଇଛି। ତେବେ ସରକାରୀ ଜମିରେ ହୋଟଲର କୌଣସି ସ୍ଥାୟୀ ନିର୍ମାଣ ହୋଇନଥିବା ତହସିଲଦାର କହିଛନ୍ତି। କେବଳ ଗୋଟିଏ ପୋଖରୀ ଓ ପାର୍କ ସରକାରୀ ଜମି ଉପରେ ରହିଛି। ଏନେଇ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସ୍ବାଦକୁ ନେଇ କାହିଁକି ବିବାଦ?

ରାଜନଗର ଭିତରକନିକା ବାଙ୍କୁଆଳରେ ୨୪ଡିସିମିଲି ଜମି ସୂର୍ଯ୍ୟ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ରହିଛି । ତେବେ ଏହି ଜମିକୁ ଲାଗି ଉତ୍ତରରେ ଥିବା ଜଙ୍ଗଲ ଜମିକୁ ସୂର୍ଯ୍ୟଙ୍କ ନାଁରେ ବେଆଇନ ଭାବେ ଧ୍ରୁବ ସାହୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ନିଜ କ୍ଷମତାର ଦୂରୁପଯୋଗ କରି ଦେଢ ଏକର ଜଙ୍ଗଲ ଜମିରେ ଧ୍ରୁବ ହୋଟେଲ ଓ ରେଷ୍ଟୁରାଣ୍ଟ ଠିଆ କରାଇଥିବା କୁହାଯାଉଛି । ଏପରିକି ଏଠାରୁ ମାତ୍ର ୬ଶହ ମିଟର ଦୂରରେ ରହିଥିବା ଭିତରକନିକା ବୁଲାଇବା ପାଇଁ ବ୍ୟାଟରୀ ଗାଡିର ବ୍ୟବସ୍ଥା ବି ରହିଛି । ଧ୍ରୁବ ଜଙ୍ଗଲ ବୋର୍ଡର ସଦସ୍ୟ ଥିବା ବେଳେ ସୂର୍ଯ୍ୟ ଲେଙ୍କାଙ୍କୁ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ନିଯୁକ୍ତ ପାଇଁ ସୁପାରିଶ କରିଥିବା ଅଭିଯୋଗ ହୋଇଛି ।

ବଲ୍ଲେ ବଲ୍ଲେ ପରେ ସ୍ବାଦ

ଯାଜପୁର ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ପରି ସ୍ବାଦ ହୋଟେଲକୁ ନେଇ ବି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବିଜେଡି ସରକାରର ମନ୍ତ୍ରୀ ଓ ନେତା ସ୍ବାଦରେ କ୍ୟାମ୍ପ ପକାଉଥିଲେ । ନିର୍ବାଚନ ବେଳେ ବଡ ନେତା ବି ଯାଉଥିଲେ । ଏପରିକି ଅଭିନେତ୍ରୀ ବି ରାତି କାଟୁଥିବା କୁହାଯାଉଛି । ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ପୁଅ ହୋଟେଲରେ ବ୍ୟାଚଲର ପାର୍ଟି କରିଥିବା ଶୁଣିବାକୁ ମିଳିଥିବା ଛାତ୍ର କଂଗ୍ରେସ କହିଛି ।

ଜମି କେଳେଙ୍କାରୀ ଜାଲରେ ଧ୍ରୁବ !

ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୁଆଳି ମୌଜାରେ ଜଙ୍ଗଲ ଜମି ଜବରଦଖଲ କରି ସ୍ବାଦ ହୋଟେଲ ନିର୍ମାଣ ହୋଇଥିବା ଅଭିଯୋଗ ହେଉଛି । ବିଜେଡି ବିଧାୟକ ଧ୍ରୁବ ସାହୁ ହୋଟେଲରେ ଅଂଶୀଦାର ରହିଥିବା ଛାତ୍ର କଂଗ୍ରେସ କହିଛି । ଜଙ୍ଗଲ ଜମି ସହ ସ୍କୁଲ ଖେଳ ପଡିଆର ୬ଡିସିମିଲି ଜମିକୁ ବି ଧ୍ରୁବ ନିଜ କବଜାକୁ ନେଇଥିବା ଅଭିଯୋଗ ହୋଇଛି । ଏମିତିକି ଗାଁର ଶ୍ମସାନ ଜମି ବି ଧ୍ରୁବଙ୍କ ନଜରରୁ ବାଦ ପଡିନଥିବା କୁହାଯାଉଛି । ପ୍ରତିବାଦରେ ସ୍ବାଦ ହୋଟେଲ ଆଗରେ ଗାଁଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ୬ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଧ୍ରୁବ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ ହୋଇଛି । ଛାତ୍ର କଂଗ୍ରେସ ନେତାଙ୍କୁ ଧ୍ରୁବ ସାହୁଙ୍କ ଗୁଣ୍ଡାମାନେ ଆକ୍ରମଣ କରିବା ସହ ଗାଡି ଭାଙ୍ଗି ଦେଇଥିବା ଅଭିଯୋଗରେ ଥାନାରେ ଏତଲା ଦିଆଯାଇଥିଲା । ଧ୍ରୁବଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବେଆଇନ ସାମ୍ରାଜ୍ୟ ଉଚ୍ଛେଦ ଦାବି କରିଛି କଂଗ୍ରେସ ।

Comments are closed.