Latest Odisha News

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ଗତକାଲି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ଵରରେ ପହଞ୍ଚିଥିଲେ । ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହିତ ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ସେତେବେଳେ ସେଠାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ। ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ବାରା ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ। ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵ ସ୍ତରକୁ ନେଇ ପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ପାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ପିଟର ଓ ପଲ୍ ଦୁର୍ଗର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ଏହି ସ୍ବର୍ଣ୍ଣ ପଦକ ହସଲ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ବିଶ୍ବର ୨୧ ବାଲୁକା ଶିଳ୍ପୀଙ୍କ ମଧ୍ୟରେ ଶ୍ରେଷ୍ଠତ୍ବ ପ୍ରମାଣିତ କରିଛନ୍ତି ସୁଦର୍ଶନ ।

Comments are closed.