Latest Odisha News

ମନ୍ତ୍ରୀଙ୍କ ଆଗରେ ରାସ୍ତା ଓ ପରିମଳ ବ୍ୟବସ୍ଥା କଥା ଉଠାଇ ମେୟରଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ନିଜ ଅଞ୍ଚଳର ସମସ୍ୟା ଏବଂ ବିକାଶ କିଭଳି ହୋଇଛି ଜଣାଇବାକୁ ରାଜଧାନୀସ୍ଥିତ ଲକ୍ଷ୍ମୀସାଗର-ଚିନ୍ତାମଣିଶ୍ୱର ଅଞ୍ଚଳର ଲୋକେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆମନ୍ତ୍ରଣ କରିଥିଲେ। ଆଉ ଲୋକେ ନୂଆ ମନ୍ତ୍ରୀଙ୍କୁ ଦେଖି ଯେପରି ଦୀର୍ଘ ଦିନର ଅସନ୍ତୋଷ ପ୍ରକାଶ କରି ପକାଇଥିଲେ। ରାସ୍ତା କାଦୁଅ ପଚ ପଚ ହୋଇଥିବା ବେଳେ ପରିମଳ ବ୍ୟବସ୍ଥା କିଭଳି ଥିବ ହୃଦବୋଧ କରି ପାରୁଥିବେ। ଆଉ ଏପରି ରାସ୍ତା ଘାଟ ପାଇଁ ପୂର୍ବ ସରକାର ତଥା ଭୁବନେଶ୍ୱର ମହାନଗର ନିଗମ ଦାୟୀ କହି ଜଣେ ମହିଳା ବର୍ଷିଥିଲେ। ଆଉ ମେୟର ସୁଲୋଚନା ଦାସ ସବୁ ଶୁଣୁଥିଲେ ମଧ୍ୟ ଉତ୍ତର ଦେବାକୁ ଯେପରି ଆଉ କିଛି ନଥିଲା। କାରଣ ଯାହା ଦେଖାଯାଉଥିଲା ତାହା ସଂପୃକ୍ତ ମହିଳା କହୁଥିଲେ। ଆଉ ଅଭିଯୋଗକୁ ଘଣ୍ଟ ଘୋଡାଇବାକୁ ଯେପରି କିଛି ନଥିଲା।

ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ, ଏକାମ୍ର ବିଧାୟକ ବାବୁ ସିଂହ ଓ ଅନ୍ୟ ପୌର ଅଧିକାରୀଙ୍କ ସହ ମନ୍ତ୍ରୀ କୃଷ୍ମ ମହାପାତ୍ର ଚାଲି ଚାଲି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ଐତିହାସିକ ‘ଧୋବା ପୋଖରୀ’ ପୋଖରୀ ପରିଦର୍ଶନ କରାଯାଇଥିଲା, ଯେଉଁଠାରେ ରାସ୍ତା ଓ ପରିମଳ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଦେଖାଦେଇଥିଲା।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ସେ (କୃଷ୍ଣଚନ୍ଦ୍ର ମହାପାତ୍ର) ହେଉଛନ୍ତି ପ୍ରଥମ ମନ୍ତ୍ରୀ ଯିଏ କି ପ୍ରକଳ୍ପର କାର୍ଯ୍ୟ ଦେଖିବାକୁ ଆସିଛନ୍ତି। ପାଞ୍ଚ ବର୍ଷ ହେଲା ଏହା ଚାଲିଆସୁଛି। ଏହି ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

୨୦୧୬ ମସିହାରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ଐତିହାସିକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବିଲ୍ଡରଙ୍କ ଜବରଦଖଲ ଯୋଗୁଁ ପୋଖରୀର ଅଞ୍ଚଳ ମୂଳ ୨୨ ଏକରରୁ ମାତ୍ର ୯ ଏକରକୁ ଖସି ଆସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୋଖରୀର ମୂଳ ୨୨ ଏକରରୁ ୯ ଏକର ଜମିକୁ ଉଚ୍ଛେଦ କରାଯାଇଛି। ସେମାନେ ମୂଳ ଜମି ପୁନରୁଦ୍ଧାର କରିବା ପରେ କାମ ଆରମ୍ଭ କରିବା ଉଚିତ ବୋଲି ଅନ୍ୟ ଜଣେ ବାସିନ୍ଦା କହିଛନ୍ତି।

ଗଣ୍ଡଗୋଳ ବେଳେ ମେୟର ଦାସ ଘଟଣାସ୍ଥଳରୁ ଚାଲି ଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା ଯେ ସେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ପଳାଇଗଲେ। ପରେ ଓସ୍କାର ସିଟି, ନିକୋ ପାର୍କ ପରିଦର୍ଶନ ଓ ନୟାପଲ୍ଲୀରେ ହଜ୍ ପୋଖରୀ ପ୍ରକଳ୍ପର ସମୀକ୍ଷା ବେଳେ ମେୟର ସୁଲୋଚନା ଦାସ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ପୁଣି ଥରେ ଉପସ୍ଥିତ ହୋଇଥିଲେ।

ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନିଆଯାଉଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଛନ୍ତି। ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପୋଖରୀର ସାମ୍ପ୍ରତିକ ସ୍ଥିତି ଓ ରାସ୍ତା ମରାମତି ପାଇଁ ମେୟର, କମିଶନର ଓ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରାସ୍ତା ମରାମତି କରିବାକୁ ଆମେ କମିସନରଙ୍କୁ କହିଛୁ। ପରବର୍ତ୍ତୀ ସମୟରେ ସ୍ୱରେଜ ବ୍ୟବସ୍ଥା ମଧ୍ୟ ଯୋଡ଼ାଯିବ। ପୋଖରୀ ସମ୍ପର୍କରେ ମେୟର, କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବୈଠକ କରି ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରାଯିବ।

ମେୟର ସୁଲୋଚନା ଦାସ ପୋଖରୀର ଅବସ୍ଥା ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଦୁଇ ବର୍ଷ ତଳେ ପୋଖରୀଟି ଅତ୍ୟଧିକ ପ୍ରଦୂଷିତ ଓ ମାଟିରେ ଭର୍ତ୍ତି ହୋଇଥିବା ବେଳେ ସେ ସେଠାକୁ ଯାଇଥିଲେ। “ଦୁଇ ବର୍ଷ ତଳେ ମୁଁ ପୋଖରୀକୁ ଯାଇ ଦେଖିଥିଲି ଯେ ଏହା ମଳ ବର୍ଜ୍ୟବସ୍ତୁରେ ଆଚ୍ଛାଦିତ ହୋଇଛି ଏବଂ ମାଟିରେ ଭର୍ତ୍ତି ହୋଇଛି। ତା’ପରେ ଆମ ସରକାର ସମସ୍ତ ପୋଖରୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ନିଷ୍ପତ୍ତି ନେଇଥିଲେ। ଆଜି ଏସବୁ ବିଷୟର ସମୀକ୍ଷା କରାଯାଇଛି।

ଏହି ଗସ୍ତ ଲକ୍ଷ୍ମୀସାଗର-ଚିନ୍ତାମଣିଶ୍ୱର ବାସିନ୍ଦାଙ୍କ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଅଞ୍ଚଳର ଭିତ୍ତିଭୂମି ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଆଲୋକପାତ କରିଛି।

Comments are closed.