Latest Odisha News

BREAKING NEWS

କେତେ ଦିନ ଦୟା କରୁଥିବ ଚୀନ୍ ?

ନୂଆଦିଲ୍ଲୀ: ସଂକଟରେ ପାକିସ୍ତାନର ଅର୍ଥନୀତି । ଋଣ ପରେ ଋଣ ନେଇ ଦେବାଳିଆ ସ୍ଥିତିରେ ରହିଛି ପାକିସ୍ତାନ । ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବେଲ୍ ଆଉଟ ପ୍ୟାକେଜ ସହ ସବୁଦିନିଆ ବନ୍ଧୁ ଚୀନ୍ ପାକିସ୍ତାନକୁ ଆର୍ଥିକ ଦୁର୍ଗତିରୁ ମୁକୁଳାଇବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ପାକିସ୍ତାନର ସ୍ଥିତିରେ ଉନ୍ନତି ଆସୁନାହିଁ । ପଡୋଶୀର ଅର୍ଥନୀତି ଚୀନ୍ ଦୟା ଉପରେ ନିର୍ଭର । ହେଲେ ସବୁଦିନିଆ ବନ୍ଧୁ ଚୀନ୍ ବି ଏବେ ପାକିସ୍ତାନକୁ ଆଉ ଅଧିକ ଋଣ ଦେବାକୁ କୁଣ୍ଠିତ । ବକେୟା ଋଣ ନ ଶୁଝି ଚୀନ ପାଖରେ ପୁଣି ହାତ ପତେଇଛି ପାକିସ୍ତାନ । ଚୀନର ଅନିଚ୍ଛା ଦେଖି ପାକିସ୍ତାନ ଛାନିଆ । ଚୀନକୁ ମନାଇବା ପାଇଁ ବେଜିଂକୁ ଘନ ଘନ ଗସ୍ତ କରୁଛନ୍ତି ପାକ୍ ମନ୍ତ୍ରୀ ଓ ପ୍ରତିନିଧି ଦଳ ।

ଶକ୍ତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଚୀନଠାରୁ ବିପୁଳ କରଜ ନେଇଛି ପାକିସ୍ତାନ । କିନ୍ତୁ ଆଉ ଋଣ ଦେବାକୁ ଚୀନର ଆଗ୍ରହ ନାହିଁ । ବନ୍ଧୁ ଚୀନର ରୋଷ ଦେଖି ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଚୀନରେ ଡେରା ପକାଇଛନ୍ତି । ଚୀନ୍ ସେଂଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଭେଟିଛନ୍ତି ।

ଶକ୍ତି କ୍ଷେତ୍ରରେ ଥିବା ଋଣରୁ ଆଶ୍ୱସ୍ତି ପାଇଁ ଚେଷ୍ଟା କରୁଛି ପାକିସ୍ତାନ । ଚୀନ୍ ଆଉ ଋଣ ଦେବା ପାଇଁ ପାକିସ୍ତାନର ଅନୁରୋଧକୁ ସିଧାସଳଖ ଖାରଜ କରିନପାରେ । କିନ୍ତୁ ଋଣ ପରିମାଣ ହ୍ରାସ କରିପାରେ ବୋଲି ଜଣାପଡିଛି । ଏଣେ ଢାଂଚାଗତ ସଂସ୍କାର ପାଇଁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି-ଆଇଏମଏଫ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ପାକିସ୍ତାନ ଉପରେ ବଢିବାରେ ଲାଗିଛି ଚାପ । ଯଦି ଚୀନ୍ ଋଣ ଦେବାକୁ ମନା କରେ ବା ଋଣ ପରିମାଣ ହ୍ରାସ କରେ ତାହା ହେଲେ ପାକିସ୍ତାନର ଆର୍ଥିକ ଦୁର୍ଦ୍ଦଶା ଆହୁରି ବଢିଯିବ ।

ବଡ କଥା ହେଲା ଯେ, ପାକିସ୍ତାନରେ ଶକ୍ତି କ୍ଷେତ୍ରରେ ନିଜେ ଲଗାଇଥିବା ପଇସା ଆଉ ରୋଲ୍ ଓଭର କରିବାକୁ ଚାହୁଁନାହିଁ ଚୀନ୍ । ଚୀନ୍ ମଧ୍ୟ ଏହି ମାମଲାରେ ଆଗର ଭଳି ଆଗ୍ରହ ଦେଖାଉ ନାହିଁ । କାରଣ ଋଣ ଶୁଝିପାରୁନି ପାକିସ୍ତାନ । ଚୀନର ଏହି ଉଦାସୀନତା ହିଁ ପାକିସ୍ତାନର ମୁଣ୍ଡବ୍ୟାଥା ବଢାଇଛି ।

ଋଣ ଭାରରେ ବୁଡି ରହିଥିବା ପାକିସ୍ତାନକୁ ଚୀନର ଦୟା ଉପରେ ହିଁ ନିର୍ଭର କରିବାକୁ ପଡୁଛି । ତେବେ, ଚୀନ୍ ଉପରେ ପାକିସ୍ତାନର ଆବଶ୍ୟକଠାରୁ ଅଧିକ ନିର୍ଭରଶୀଳତା ହିଁ ଅଡୁଆ ହୋଇଛି । ଗତକିଛି ବର୍ଷ ଧରି ଚୀନ ପାକିସ୍ତାନରେ ଅଧିକ ପୁଂଜି ନିବେଶ କରିଛି । ହଂକଂ ଜରିଆରେ ବି ପାକିସ୍ତାନରେ ନିବେଶ କରୁଛି ଚୀନ୍ । ଆଗ ଅପେକ୍ଷା ଚୀନର ନିବେଶ ପରିମାଣ କମିଛି । ତଥାପି ଏ ବର୍ଷ ପୁଂଜି ନିବେଶ ଦୃୃଷ୍ଟିରୁ ଚୀନ୍ ହିଁ ପାକିସ୍ତାନର ସବୁଠୁ ବଡ ନିବେଶକ ।

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ସ୍ଥିତିରେ ଉନ୍ନତି ଆଣିବା ପାଇଁ ୨୦୧୮ରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ପାକିସ୍ତାନକୁ ୨ ବିଲିଅନ ଡଲାର ଲୋନ୍ ଦେଇଥିଲା । କିନ୍ତୁ ଏହି ଲୋନ୍ ଆଜିଯାଏଁ ଶୁଝି ପାରିନାହିଁ ପାକିସ୍ତାନ । ୨୦୧୮ରୁ ଲଗାତର ଏହି ଲୋନ୍ ରୋଲ୍ ଓଭର କରିଚାଲିଛି ଚୀନ୍ । ଏଥିରୁ ଜଣାପଡିଯାଉଛି ପାକିସ୍ତାନର ଆର୍ଥିକ ସ୍ଥିତି କଣ । ଚୀନ୍ ଆଉ କେତେ ଦିନ ଦେବାଳିଆ ବନ୍ଧୁକୁ ଦୟା ଦେଖାଉଥିବ ?

Comments are closed.