Latest Odisha News

ଆୟକର ଭରିନାହାନ୍ତି କି? ସାବଧାନ!

ଭୁବନେଶ୍ବର: ଜୁଲାଇ ୩୧, ୨୦୨୪ ହେଉଛି ଆୟକର ଦାଖଲ କରିବାର ଶେଷ ଦିନ । ଧାର୍ଯ୍ୟ ସମୟ ମଧ୍ୟରେ  ଆଇଟିଆର ଫାଇଲ୍ ନ କଲେ କରଦାତାଙ୍କୁ ସହିବାକୁ ପଡିବ ବିପୁଳ ଆର୍ଥିକ କ୍ଷତି । ମୋଟା ପରିମାଣରେ ଜୋରିମାନା ଦେବାକୁ ପଡିବ । ଗତବର୍ଷ ପରି ଏଥର ମଧ୍ୟ ଆଉ ଆୟକର ଦାଖଲ ସମୟସୀମା ବଢାଇ ନପାରନ୍ତି ସରକାର । ତେଣୁ ବିନା ଜୋରିମାନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କରଦାତାମାନଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ଆଇଟିଆର୍ ଦାଖଲ କରିବାକୁ ହେବ ।

ଯଦି ଆପଣ ଆଇଟିଆର ଫାଇଲ ସମୟସୀମା ହାତଛଡା କରନ୍ତି, ତାହା ହେଲେ ଆର୍ଥିକ ଦୃଷ୍ଟିରୁ ଗୁରୁତର ସମସ୍ୟାର ସାମନା କରିବେ । ଆପଣ  ଯଦି  ପୁରୁଣା କର ପ୍ରଣାଳୀ ଅଧୀନରେ ଅଛନ୍ତି ଓ ସମୟସୀମା ମଧ୍ୟରେ ଆୟକର ଦାଖଲ କରିପାରୁନାହାନ୍ତି, ତାହା ହେଲେ ଅନେକ ସୁବିଧାସୁଯୋଗ ହାତଛଡା କରିବେ । ଆୟକର ଦାଖଲ ସମୟସୀମା ଛାଡି ଦେଲେ ଡିଫଲ୍ଟ ଅପସନ ଅନୁସାରେ ଆପେ ଆପେ ନୂଆ କର ପ୍ରଣାଳୀ ଅଧୀନକୁ ଆପଣ ଆସିଯିବେ ।

ପୁରୁଣା କର ପ୍ରଣାଳୀରେ କରଦାତାମାନଙ୍କ ପାଇଁ ଅନେକ ଫାଇଦା ରହିଛି, ଯାହା କି ନୂଆ ପ୍ରଣାଳୀରେ ନାହିଁ । ପୁରୁଣା କର ପ୍ରଣାଳୀରେ ନିର୍ଦ୍ଦିଷ୍ଟ ଆୟ ଓ ନିବେଶ ପାଇଁ ରିହାତି ବ୍ୟବସ୍ଥା ରହିଛି । ନୂଆ କର ପ୍ରଣାଳୀ ଅଧୀନକୁ ଆସିଲେ ଟ୍ୟାକ୍ସ ଲାୟାବିଲିଟି ବଢିଯିବ । ବକେୟା କର ବାବଦ ଅଧିକ ସୁଧ ଦେବାକୁ ପଡିବ ।

ଅନେକ ଜାଣନ୍ତି ନାହିଁ ଯେ, ଆଇଟିଆର୍ ଡେଡଲାଇନ ହାତଛଡା କଲେ ପୁରୁଣା କର ପ୍ରଣାଳୀ ବାଛିବା ବିକଳ୍ପ ହରାଇ ବସିବେ କରଦାତା । ଏହି ନିୟମ ୨୦୨୩-୨୪ ଆର୍ଥିକ ବର୍ଷଠାରୁ ଲାଗୁ ହୋଇଛି ।

ସମୟସୀମା ମଧ୍ୟରେ ଆୟକର ଦାଖଲ ନକଲେ ମଧ୍ୟ ପରବର୍ତ୍ତୀ ସମୟରେ ଦାଖଲ କରିହେବ । କିନ୍ତୁ ଏଥିପାଇଁ ଦେବାକୁ ପଡିବ ମୋଟା ଜୋରିମାନା । ବିଳମ୍ବରେ ଆୟକର ଦାଖଲ କଲେ ଆୟକର ଅଧିନିୟମ ଧାରା ୨୩୪ଏଫ ଅନୁସାରେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି ଆୟ ୫ ଲକ୍ଷରୁ କମ୍ , ତାହା ହେଲେ ଜୋରିମାନା ୧ ହଜାର ଟଙ୍କା ଦେବାକୁ ପଡିବ ।

ଆୟକର ଅଧିନିୟମ ଧାରା ୨୩୪ଏ ଅନୁସାରେ ବକେୟା କର ବାବଦ ମାସକୁ ୧ ପ୍ରତିଶତ ସୁଧ ଦେବାକୁ ପଡିବ । ଯଦି ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ୍‌, ସଂପତ୍ତି ଓ ବ୍ୟବସାୟରେ ଆପଣ ଆର୍ଥିକ କ୍ଷତି ସହିଛନ୍ତି, ତାହା ହେଲେ ଧାର୍ଯ୍ୟ ସମୟସୀମା ମଧ୍ୟର ଆୟକର ଦାଖଲ କରିବା ଜରୁରୀ । କାରଣ ଏହା ଆପଣଙ୍କ କ୍ଷତିକୁ କ୍ୟାରି ଫରୱାର୍ଡ କରିବାରେ ସହାୟକ ହେବ । ଭବିଷ୍ୟତରେ ଆପଣଙ୍କର ଟ୍ୟାକ୍ସ ଲାୟାବିଲିଟି ହ୍ରାସ ହେବ ।

ସମୟସୀମା ମଧ୍ୟରେ ଆୟକର ଦାଖଲ ନକଲେ ଆପଣଙ୍କ ଆର୍ଥିକ କ୍ଷତି କ୍ୟାରି ଫରୱାର୍ଡ ହୋଇପାରିବ ନାହିଁ । ଆଉ ଆପଣଙ୍କୁ ଏଥିପାଇଁ ପରବର୍ତ୍ତୀ ବର୍ଷଗୁଡିକରେ ଅଧିକ ପରିମାଣର ଟିକସ ଦେବାକୁ ପଡିବ ।

 

Comments are closed.