Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର । ସେ ଆଜି ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଗାମୀ ଅଗଷ୍ଟ ୬ ତାରିଖରେ ସେ ଋଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି । ଏହି ସାକ୍ଷାତକାର ସମୟରେ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମର ସାହସିକ କାର୍ଯ୍ୟ ଆମ ଯୁବ ସମାଜ ପାଇଁ ଏକ ବଡ ପ୍ରେରଣା । ସଫଳତାର ସହ ୟୁରୋପ ଓ ରୁଷିଆର ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଥିଲେ।

ସୂଚନାଯୋଗ୍ୟ, ବିଭାରାଣୀ ତାଳଚେର ନିକଟସ୍ଥ ମେରାମୁଣ୍ଡଳୀର ଜଣେ ପର୍ବତାରୋହୀ । ସେ ୨୦୧୯ରେ ଲେହ୍‌ ଲାଦାଖ୍‌ ର ମାଉଣ୍ଟ ଷ୍ଟକ୍ କଙ୍ଗ୍ରି ଓ ୨୦୨୩ରେ ଆଫ୍ରିକାର ମାଉଣ୍ଟ କିଲ୍‌ମାନ୍‌ଜାରୋ ଆରୋହଣ କରିଛନ୍ତି। ଏହା ସହିତ ୨୦୧୯ରେ ସେ ଆବୁଧାବୀ ଅନ୍ତର୍ଜାତୀୟ ୟୁଥ୍ ଲିଡର ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

Comments are closed.