Latest Odisha News

ପରଲୋକରେ ବିଶିଷ୍ଟ କୋଶଳୀ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ପାଣିଗ୍ରାହୀ

ଭୁବନେଶ୍ବର: ଆଉ ନାହାନ୍ତି ପଶ୍ଚିମ ଓଡ଼ିଶାର ସୁବିଦିତ ଭାଷା ଓ ସଂସ୍କୃତି ଅନୁରାଗୀ ନିମାଇଁ ଚରଣ ପାଣିଗ୍ରାହୀ । ଅଗଷ୍ଟ ୪ ତାରିଖ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ବନ ବିଭାଗରୁ ୨୦୧୮ରେ ଅବସର ନେଇଥିଲେ ।

କୋଶଳୀ ଭାଷାରେ ସେ ଅନେକ ପୁସ୍ତକ ରଚନା କରିଥିଲେ ଏବଂ ଏହି ଭାଷା ଓ ସଂସ୍କୃତି ଉପରେ ଆଧାରିତ ବିବିଧ କୃତିର ସଂଗ୍ରହରେ ମଧ୍ୟ ମନୋନିବେଶ କରିଥିଲେ । ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ଖମଖମାଲୋ (ଶିଶୁମାନଙ୍କ ପାଇଁ ଲୋକଗୀତ), ମିତ୍‌ନି ମିନତି ଆର୍ ଛେଲିଆ (କୋଶଳୀ ଲୋକଗୀତ) ଓ ଭୁଗ୍‌ଲେ ବଖାନି (କାହାଣୀ) ବହୁ ପାଠକୀୟ ଆଦୃତି ଲାଭ କରିଥିଲା ।

ଏହା ବ୍ୟତୀତ ତାଙ୍କର ଅନେକ ପାଣ୍ଡୁଲିପି ଅପ୍ରକାଶିତ ଅବସ୍ଥାରେ ରହିଛି । ଯେଉଁଗୁଡ଼ିକ ମଧ୍ୟରେ କୋଶଳୀ ଭଗବଦ୍ ଗୀତା (ଅନୁବାଦ), କୋଶଳୀ ତୁଳସୀ ରାମାୟଣ (ଅନୁବାଦ) ଓ କୋଶଳୀ ଲୋକକଥା ରହିଛି । ସେ କୋଶଳୀ ଭାଷାରେ ଅନେକ ମୌଳିକ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ । ୨୦୦୧ ରେ ବଲାଙ୍ଗୀରର କୋଶଳୀ ସାଂସ୍କୃତିକ ସଂଘ ପକ୍ଷରୁ ତାଙ୍କୁ କୋଶଳୀ ଭାଷା ସମ୍ମାନରେ ବିଭୂଷିତ କରାଯାଇଥିଲା । ନିଜର ବ୍ୟକ୍ତିଗତ ଚେଷ୍ଟାରେ ସେ ଗୋଟିଏ ବଡ଼ ସାଂସ୍କୃତିକ ବସ୍ତୁ ସଂଗ୍ରହାଳୟ ସ୍ଥାପନ କରିଛନ୍ତି ।

ନିମାଇଁ ପାଣିଗ୍ରାହୀଙ୍କ ପରଲୋକରେ କୋଶଳୀ ଭାଷା ଓ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.