Latest Odisha News

BREAKING NEWS

କୋଳରେ ୨୮ ଦିନର ନବଜାତ, ଆଖିରେ ଲୁହ ହେଲେ ବି ଅହମ୍ମଦାବାଦରେ ମାନବତାର ଅନନ୍ୟ ମହାନତା; ବ୍ରେନ୍-ଡେଡ୍ ପତିଙ୍କ ଅଙ୍ଗଦାନ କଲେ ସାହସୀ ପତ୍ନୀ

ଅହମ୍ମଦାବାଦ: ଜୀବନସାଥୀଙ୍କୁ ହରାଇବାର ଅସହ୍ୟ ଯନ୍ତ୍ରଣା ଏବଂ କୋଳରେ ମାତ୍ର ୨୮ ଦିନର ନବଜାତ ଶିଶୁ—ଏଭଳି ଏକ କଠିନ ପରିସ୍ଥିତିରେ ମଧ୍ୟ ଜଣେ ମହିଳା ଅହମ୍ମଦାବାଦରେ ଯାହା କରିଛନ୍ତି, ତାହା ସମାଜ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି। ସଡ଼କ ଦୁର୍ଘଟଣାରେ ବ୍ରେନ୍-ଡେଡ୍ ହୋଇଯାଇଥିବା ୩୨ ବର୍ଷୀୟ ପତିଙ୍କ ଅଙ୍ଗଦାନ ପାଇଁ ଏହି ମହିଳା ସମ୍ମତି ଜଣାଇଛନ୍ତି, ଯାହାଫଳରେ ୩ ଜଣ ରୋଗୀଙ୍କୁ ନବଜୀବନ ମିଳିପାରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗାନ୍ଧୀନଗର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୩୨ ବର୍ଷୀୟ ଯୁବକଙ୍କୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ବଞ୍ଚାଇବା ପାଇଁପୂରା ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ତାଙ୍କୁ ବ୍ରେନ୍-ଡେଡ୍ ବୋଲି ଘୋଷଣା କରିଥିଲେ। ଏଭଳି ଦୁଃଖଦ ସମୟରେ ହସ୍ପିଟାଲର ଅଙ୍ଗଦାନ କମିଟି ପରିବାର ଲୋକଙ୍କୁ ବୁଝାଇଥିଲେ।

ତିନି ସନ୍ତାନଙ୍କ ଜନନୀ ତଥା ମାତ୍ର ୨୮ ଦିନର କୁନି ପୁଅକୁ କୋଳରେ ଧରି ବସିଥିବା ସେହି ମହିଳାଜଣକ ନିଜର ବ୍ୟକ୍ତିଗତ ଦୁଃଖକୁ ଭୁଲି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ମୃତ ଯୁବକଙ୍କ ଗୋଟିଏ ଯକୃତ ଏବଂ ଦୁଇଟି କିଡ୍‌ନୀ ଦାନ କରାଯାଇଛି, ଯାହାକି ଅନ୍ୟ ତିନି ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇ ତାଙ୍କୁ ନୂଆ ଜୀବନ ଦେବ। ପତିଙ୍କ ଅଙ୍ଗଦାନ ପ୍ରକ୍ରିୟା ଚାଲିଥିବା ସମୟରେ ନବଜାତ ଶିଶୁକୁ ଧରି ହସ୍ପିଟାଲରେ ଉପସ୍ଥିତ ଥିବା ଏହି ମାଆଙ୍କ ଦୃଢ଼ତା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଛି। ସିଭିଲ୍ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କ ଏହି ପରୋପକାରୀ ପଦକ୍ଷେପକୁ ପ୍ରଶଂସା କରିବା ସହ ଏହା ମାଧ୍ୟମରେ ସମାଜରେ ଅଙ୍ଗଦାନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ମତ ଦେଇଛନ୍ତି।

ଏହି ଘଟଣା ପ୍ରମାଣ କରିଛି ଯେ ମାନବତା ଏବେ ବି ଜୀବିତ ଅଛି। ଜଣେ ନାରୀ ଚାହିଁଲେ ନିଜର ଦୁଃଖକୁ ପଛରେ ପକାଇ ସମାଜକୁ ଏକ ନୂତନ ଆଲୋକ ଦେଖାଇପାରନ୍ତି। ତାଙ୍କର ଏହି ତ୍ୟାଗ ଅନ୍ୟମାନଙ୍କୁ ମଧ୍ୟ ଅଙ୍ଗଦାନ ପାଇଁ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.