Latest Odisha News

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ!

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ!

କେଦାର ମିଶ୍ର

ପୁରୀ, ସମୁଦ୍ରକୂଳ ଓ ସ୍ୱର୍ଗଦ୍ୱାର ।

ଜୀବନ ବୋଇଲେ ଏଇ ତିନୋଟି ଶବ୍ଦ । ସ୍ୱର୍ଗଦ୍ୱାର ଆଗରେ ଅନ୍ତହୀନ ସମୁଦ୍ରର ପାଗଳ ଘୋ ଘୋ । ଜୀବନ ଓ ମରଣର ହାତ ଧରାଧରି ହୋଇ ଏଇ ବେଳାଭୂମିରେ ବୁଲୁଥା’ନ୍ତି । ଜୀବନ ଓ ମରଣ ଭିତରେ ଯୋଉ ଗଳି, ସେଇ ଗଳିରେ ଗଢି ଉଠୁଥାଏ ବଜାର । ସେଠି କେତେ ରଙ୍ଗ ଓ କୋଳାହଳ । ସେଠି କେତେ ବିକାକିଣା ଓ ଦିଆନିଆର ବେପାର । ଯେ ଯାହାର ବାଟରେ ସୁନ୍ଦର । ଏଠି ମରଣ, ଜୀବନ ଓ ବଜାରର ମହାସଂଗମ । ଧର୍ମ, କାମ ଓ ଅର୍ଥ ତଥା ମୋକ୍ଷର ମହାମିଳନ । ଗୋଟିଏ ବିନ୍ଦୁରେ ପରସ୍ପରକୁ ବିରୋଧ କରୁଥିବା ରେଖାମାନେ ଏଇଠି ସମାହିତ ହୋଇଯାଆନ୍ତି । ସ୍ୱର୍ଗଦ୍ୱାର ଆଗରେ ସମୁଦ୍ର ଓ ସମୁଦ୍ରକୂଳରେ ଠିଆ ହୋଇଛି ମୁଁ ।

ଅଥଚ ମୁଁ ନାହିଁ କୋଉଠି ।
ନା ସମୁଦ୍ର, ନା, ସ୍ୱର୍ଗଦ୍ୱାର ଅଥବା ବଜାର !
ମୁଁ ଆଉ ଟିକେ ଆଗକୁ ଯାଉଛି । ପଚାରୁଛି, ଏଠି କୋଉଠି
ସାତ ଲହଡ଼ି ?
ଯୋଉଠି ପ୍ରତି ମୁହୂର୍ତ୍ତରେ ଶହ ଶହ ଲହଡ଼ି
ଉଠେ ଓ ଭାଙ୍ଗିଯାଏ, ସେଠି ସାତ ଲହଡ଼ିର ମାନେ କ’ଣ ?
ସ୍ୱର୍ଗଦ୍ୱାରଠୁଁ ଟିକେ ଆଗକୁ ସାତ ଲହଡ଼ି ।

ବଜାର ଓ ପର୍ଯ୍ୟଟନର ହୋ ହୋ ଭିତେର ଅନାହାରୀ ଅଜଗର ପରି ଶୋଇ ରହିଥିବା ସାତ ଲହଡ଼ି । ଓଡ଼ିଆ ଜାତିର ନିର୍ବୋଧପଣକୁ ବିବଶ ଆଖିରେ ଚାହିଁ ରହିଥିବା ପୁରୁଣା କାନ୍ଥର ଲୁଣଖିଆ ଚାହାଣୀ : ସାତ ଲହଡ଼ି ।

ସାତ ଲହଡ଼ି ଓଡ଼ିଆ ଭାଷାର ପ୍ରାଣପୁରୁଷ ଜଗନ୍ନାଥ ଦାସଙ୍କ ସାଧନା ଓ ସମାଧିର ଆଶ୍ରମ । ମନ୍ଦିର ବେଢାରେ ଓଡ଼ିଆ ଭାଗବତ ଲେଖି ବ୍ରାହ୍ମଣ୍ୟ ଲାଞ୍ଛନାର ଶିକାର ହୋଇଥିବା କବିପଣର ଶରଣକ୍ଷେତ୍ର ସାତ ଲହଡ଼ି ମଠ । ସେଦିନ ଅପମାନ ଓ ଲାଞ୍ଛନା ପାଇ ଜଗନ୍ନାଥ ଦାସ ବଡ଼ଦାଣ୍ଡକୁ ଛି’ କରିଦେଇ ସମୁଦ୍ରକୁ ମାଗିଥିଲେ ଜୀବନ ଲାଗି ଚାଖଣ୍ଡେ ଜାଗା । କୁହାଯାଏ, ତାଙ୍କରି କଥାରେ ସମୁଦ୍ର ଫେରିଯାଇଥିଲା ସାତ ଲହଡ଼ି ପଛକୁ । ସେଇ ଜାଗାରେ ଗଢାହେଲା ଓଡ଼ିଆ ଭାଷାର ଭାଗ୍ୟ । ସାରଳା ଦାସ ଓଡ଼ିଆ ଭାଷାର ଭିତ୍ତି ଗଢିଲେ । ବଳାରାମ ଦାସେ ସେ ଭିତ୍ତିରେ ଗଢିଲେ କାନ୍ଥ ଓ ଛାତ । ସେଇ ଘରକୁ ବୈକୁଣ୍ଠ କରିଦେଲେ ଜଗନ୍ନାଥ ଦାସ । ଓଡ଼ିଆ ଭାଷାର ସାରଲ୍ୟ ଓ ସୌନ୍ଦର୍ଯ୍ୟର ବିଶ୍ୱକର୍ମା ସେ । ଏ ଭାଷା ଶହ ଶହ ବର୍ଷ ଧରି ବଞ୍ଚି ରହିଛି କେବଳ ଭାଗବତ ପାଇଁ । ଭାଷା ଭିତରେ ଭାବକୁ ବଖାଣିବା ଲାଗି ଛନ୍ଦ ନିର୍ମାଣର କୌଶଳ ଜଗନ୍ନାଥ ଦାସ ଆମକୁ ଶିଖାଇଲେ । ତାଙ୍କରି ଛନ୍ଦରେ ଛନ୍ଦାୟିତ ଆମର ପ୍ରତିଭା ଓ କଳ୍ପନା । ନଅଟି ଅକ୍ଷରକୁ ଯୋଡ଼ି ବିଶ୍ୱବ୍ରହ୍ମାଣ୍ଡକୁ ବର୍ଣ୍ଣନା କରିପାରିବାର ଅପୂର୍ବ ନବାକ୍ଷରୀ ବୃତ୍ତ ସେ ହିଁ ଗଢିଲେ ।

ସେ ହିଁ କହିଲେ – ଦେଖ କର୍ମକର୍ଷଣ ସହି ଅରଣ୍ୟର ଅଜଗର ପ୍ରାୟେ ପଡ଼ିଛି ତୁମର ଦେହ।

ସେ ହିଁ କହିଲେ – ଦେଖ, ଉଡୁଥିବା ଏ ପକ୍ଷୀମାନେ ବିଧାତାର ବ୍ୟାକରଣ, ଏ ସମୁଦ୍ର ବିଧାତାର ଉଦର,

ଏ ମେଘମାଳା ବିଧାତାର କେଶ, ଏ ପାହାଡ଼ ପର୍ବତ ବିଧାତାର ଅସ୍ଥି !

ସେ ଅନାଦି ପରମ କାରଣ । ସରଚାଚର – ଲୀଳା ବିଧୃତ କଳେବର !

ତାଙ୍କରି ଭାଷାକୁ ଆଧାର କରି ଓଡ଼ିଆ ଜାତି ବଞ୍ଚିଛି ଓ ମରିଛି । ମରଣ କାଳେ ତାଙ୍କ ନବାକ୍ଷରୀରୁ ଅଧ୍ୟାୟେ ଶୁଣିଲେ ମୋକ୍ଷର ବାଟ ଫିଟିଯିବ ବୋଲି ଭାବିଛି । ଏକଦା ‘ତେଲି ଭାଗବତ’ ବୋଲି ପଣ୍ଡିତମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ତାଙ୍କର ଭାଗବତ ଜନଗଣମନର ହୃଦୟ ସଙ୍ଗୀତ ପାଲଟି ଯାଇଛି ।

ଏ ତଥ୍ୟ, କେବଳ ଇତିହାସ । ସମୁଦ୍ର ପରି ଅଶାନ୍ତ ଓ ଅନ୍ତହୀନ ଇତିହାସରେ ଲହଡ଼ି ପରି ଉଠୁଥିବା ଓ ପଡୁଥିବା ରେଖାଏ ସ୍ମୃତି – ଜଗନ୍ନାଥ ଦାସ ।

ପୁରୀ, ସମୁଦ୍ରକୂଳ, ସ୍ୱର୍ଗଦ୍ୱାର ଓ ବଜାର, ୟା’ ଭିତରେ ଆପଣଙ୍କ କୋଉଠି ଜଗନ୍ନାଥ ଦାସ !

ମୁଁ ଖୋଜୁଛି ସାତଲହଡ଼ିର ଠିକଣା । ସାତ ଲହଡ଼ି ବୋଲି ଯାହା ଦିଶୁଛି ସେ ଜରାଜୀର୍ଣ୍ଣ ସମୟର ଶିଉଳିଖିଆ କାନ୍ଥଟିଏ ମାତ୍ର । ସେଠି ଲହଲହ ବଜାରର ଲୋଭ ଓ ଗୋଟେ ଅକୃତଜ୍ଞ ଜାତିର ବିଶ୍ୱାସଘାତକତା । ନିଜ ଭାଷାର ନିର୍ମାତାକୁ ଅବଜ୍ଞା କରିଥିବା ଗୋଟେ ଜାତିର ଦୟନୀୟ ଚେହେରା । ଏଇ ସାତ ଲହଡ଼ିର ପରିତ୍ୟକ୍ତ ପରିସର । ଅନ୍ଧାର, ଶିଉଳି ଓ ଅବହେଳାର କରୁଣ ସମାବେଶ ଜଗନ୍ନାଥ ଦାସଙ୍କ ସମାଧି।

ଅଥଚ କେତେ ଶହ କୋଟି ଟଙ୍କା ପାଣି ପରି ବୋହି ଯାଉଛି ପୁରୀ ସହରରେ । ଭାଷାର ବଡ଼ ଦେଉଳ ଗଢିଥିବା ଜଗନ୍ନାଥ ଦାସଙ୍କ ସମାଧି ଲାଗି ଓଡ଼ିଆ ଜାତି ପାଖରେ କୌଣସି ଆଗ୍ରହ ନାହିଁ । ଅନ୍ଧାର ଭିତରେ ସାତ ଲହଡ଼ି ଗୋଟେ ଅଶାନ୍ତ ଅଶରୀରିର କାୟାକଳ୍ପ ।

ଦୂରରୁ ଭାସି ଆସୁଛି ବଙ୍ଗାଳୀ କୀର୍ତ୍ତନର ଘୋଷା । ଆହା! କିଏ ଗାଇଦିଅନ୍ତା ଭଲା ଧାଡ଼ିଏ ଭାଗବତ ! ନା, କେହି ଗାଇବେ ନାହିଁ । ସାତ ଲହଡ଼ିର ଶିଉଳିଖିଆ କାନ୍ଥରେ ସମୁଦ୍ର ପବନ ପବନ ହୁଏତ ଗାଉଥିବା-

ଏ ଭାଗବତର ମହିମା । କେ ଚିନ୍ତିପାରେ ଗୁଣସୀମା
ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ବହି ।

Comments are closed.