Latest Odisha News

ଭାରତୀୟ ହକିର ମହାନ ଗୋଲକିପର ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶ ଝୁମି ଉଠିଛି । ଗୋଲକିପର ପିଆର ଶ୍ରୀଜେଶଙ୍କୁ ଏହି ବିଜୟର ମୂଖ୍ୟ ସୂତ୍ରଧର ଭାବେ ବିବେଚନା କରାଯାଉଛି । ଆଗକୁ ଆମେ ଆଉ ଶ୍ରୀଜେଶଙ୍କୁ ଆନ୍ତର୍ଜାତୀୟ ମୁକାବିଲାରେ ଦେଖିପାରିନି । ସଫଳତାର ସହ ସେ ତାଙ୍କ ସ୍ୱର୍ଣ୍ଣିମ କ୍ୟାରିୟର ଶେଷ କରିଛନ୍ତି । ସାରା ଭାରତ ଶ୍ରୀଜେଶଙ୍କ ଯୋଗଦାନକୁ କେବେ ହେଲେ ଭୁଲିବ ନାହିଁ । ୧୮ ବର୍ଷର ଲମ୍ବା କ୍ୟାରିୟରରେ ସେ ଯାହା କରିଛନ୍ତି ଅନ୍ୟ ଗୋଲକିପରଙ୍କ ପାଇଁ ଏକପ୍ରକାର ସ୍ୱପ୍ନ ସଦୃଶ ।

ବ୍ରୋଞ୍ଜ ପଦକ ମୁକାବିଲାରେ ଶ୍ରୀଜେଶ ୬ରୁ ୫ଟି ପେନାଲ୍ଟି କର୍ଣ୍ଣର ବଂଚାଇଥିଲେ । ମୋ ପ୍ରତି ଦେଶବାସୀଙ୍କ ବିଶ୍ୱାସ ଥିଲା, ତାହା କିପରି ଭାଙ୍ଗିବାକୁ ଦେଇଥାନ୍ତି ବୋଲି ଏହି ମହାନ ଖେଳାଳିଜଣଙ୍କ କହିଛନ୍ତି । ୨୦୦୬ରେ ଦକ୍ଷିଣ ଏସୀୟ ଗେମ୍ସରେ ସେ ଭାରତ ପକ୍ଷରୁ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଆଡ୍ରିଆନ ଡିସୁଜା ଓ ଭରତ ଛେତ୍ରୀଙ୍କ ଉପସ୍ଥିତି ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରି ନ ଥିଲା । ୨୦୧୧ରେ ସେ ଟିମର ଅଭିନ୍ନ ଅଙ୍ଗ ହୋଇଥିଲେ । ୨୦୧୪ ଏସିଆନ ଗେମ୍ସରେ ପାକିସ୍ତାନ ବିପକ୍ଷରେ ସେ ୨ଟି ପେନାଲ୍ଟି ଷ୍ଟ୍ରୋକ ବଂଚାଇ ହୀରୋ ସାଜିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

ଅଲିମ୍ପିକ୍ସ, ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି, ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡା, ପ୍ରୋଲିଗ ଠାରୁ ଆରମ୍ଭ ଅନ୍ୟ ଆନ୍ତର୍ଜାତୀୟ ମୁକାବିଲାରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଥିଲେ । ଖେଳ ରତ୍ନ, ପଦ୍ମଶ୍ରୀ, ବିଶ୍ୱର ଶ୍ରେଷ୍ଠ ଆଥଲେଟ, ଏଫଆଇଏଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ସେ ହାସଲ କରିଥିଲେ । ୩୩୬ ମ୍ୟାଚ ତାଙ୍କର ଉପଲବ୍ଧି ।

ହକିକୁ ଅନ୍ୟ ଖେଳ ପରି ଭଲ ପାଅ । ଆମେ ତୁମକୁ ଆହୁରି ଅନେକ ପଦକ ଦେବୁ ମ୍ୟାଚ ପରେ ଅଧିନାୟକ ହରମନପ୍ରୀତ ସିଂ କହିଥିଲେ । ଶ୍ରୀଜେଶଙ୍କ ସ୍ଥାନ କିଏ ନେବ ତାହା ଭିନ୍ନ କଥା । ସେ ଯେଉଁ ଆତ୍ମବିଶ୍ୱାସ ଓ ବିଜୟର ସ୍ୱାଦ ଚଖାଇଛନ୍ତି ତାହା ଏବେ ଅତୁଟ ରହିବ ବୋଲି ଆଶା । ଶ୍ରୀଜେଶଙ୍କୁ ସାଥୀ ଖେଳାଳିମାନେ ଯେଉଁ ଭଳି ସମ୍ମାନ ପ୍ରଦାନ କଲେ ତାହା ସମସ୍ତ କ୍ରୀଡାପ୍ରେମୀଙ୍କୁ ଭାବ ବିହ୍ୱଳ କରିଥିଲା । ହକି ପଡିଆର ଗୋଲପୋଷ୍ଟରେ ଏବେ ସମସ୍ତ ଆଖି ଶ୍ରୀଜେଶଙ୍କୁ ନିଶ୍ଚିତ ଭାବେ ଖୋଜିବ।

Comments are closed.