Latest Odisha News

BREAKING NEWS

ବିରୋଧୀଙ୍କ ଧନଖଡ ହଟାଅ ଅଭିଯାନ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆସିବ କି ମହାଅଭିଯୋଗ ପ୍ରସ୍ତାବ ? ଧନଖଡଙ୍କୁ ହଟାଇବାରେ ସଫଳ ହେବେ କି ବିରୋଧୀ ? ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପାଖରେ ନମ୍ବର ଅଛି ତ ?

ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ କାର୍ଯ୍ୟଶୈଳୀରେ ଜମା ସନ୍ତୁଷ୍ଟ ନୁହନ୍ତି ବିରୋଧୀ ଦଳ । ଆଗରୁ ତ ଧନଖଡଙ୍କ ନିରପେକ୍ଷତା ନେଇ ପ୍ରଶ୍ନ କରିଥିଲେ ବିରୋଧୀ । ଏବେ ଗୃହରେ ଜଗଦୀପ ଧନଖଡଙ୍କ ହାବଭାବ ଓ ଆଚରଣରେ ଖପ୍ପା ହୋଇଛନ୍ତି ବିରୋଧୀ ଦଳ । ଗୃହରେ ଧନଖଡ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ତୀବ୍ର କଥା କଟାକଟି ସହ ବଢିଚାଲିଛି ତିକ୍ତତା ।

ସଦ୍ୟ ଶେଷ ହୋଇଥିବା ବଜେଟ ଅଧିବେଶନରେ ବିରୋଧୀ ଇଣ୍ଡି ବ୍ଲକ୍ ସଦସ୍ୟ ଓ ଧନଖଡଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଏପରିକି ବିରୋଧୀ ସଦସ୍ୟମାନେ ଗୃହ ଚଳାଇବାକୁ ଦେଉନଥିବା ଅଭିଯୋଗ କରି ଖୋଦ୍ ଜଗଦୀପ ଧନଖଡ ଅଗଷ୍ଟ ୮ରେ ନିଜ ଆସନରୁ ଉଠି ଚାଲିଯାଇଥିଲେ ।

ଅଭିଯୋଗ ହୋଇଛି ଯେ, ଧନଖଡ ବିରୋଧୀ ଦଳ ସଦସ୍ୟଙ୍କ ପ୍ରତି ଭଲ ବ୍ୟବହାର ଦେଖାଉ ନାହାନ୍ତି । ସମାଜବାଦୀ ପାର୍ଟି ସଦସ୍ୟା ଜୟା ବଚ୍ଚନ ରାଜ୍ୟସଭା ଅଧ୍ୟକ୍ଷଙ୍କ ହାବଭାବ ନେଇ କଡା ଆପତ୍ତି ପ୍ରକାଶ କରିଥିଲେ । ଧନଖଡଙ୍କ ଆଚରଣ ଗ୍ରହଣୀୟ ନୁହେଁ ବୋଲି ଜୟା ବଚ୍ଚନ ଗୃହକାର୍ଯ୍ୟ ଚାଲିଥିବା ବେଳେ ସିଧାସଳଖ କହିଥିଲେ । ଏପରିକି ଧନଖଡଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ଜୟା ବଚ୍ଚନ । ଧନଖଡଙ୍କ ଜବାବ ଥିଲା ଯେ, ଜୟା ଜଣେ ସେଲିବ୍ରିଟି ହୋଇପାରନ୍ତି, କିନ୍ତୁ ଗୃହରେ ଶାଳୀନତା ରଖିବା ଦରକାର । ଧନଖଡଙ୍କ ଏଭଳି ମନ୍ତବ୍ୟ ବିରୋଧରେ କକ୍ଷ ତ୍ୟାଗ କରିଥିଲେ ବିରୋଧୀ । ପାର୍ଲାମେଂଟ ବାହାରେ ମିଡିଆ ଆଗରେ ଧନଖଡଙ୍କ ବିରୋଧରେ ଅସନ୍ତୋଷ ଝାଡି ଏକାଧିକ ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ସଦସ୍ୟ । ଗୃହରେ ଅଚଳାବସ୍ଥା ପାଇଁ ବିରୋଧୀ ଦଳ ସଦସ୍ୟଙ୍କୁ ବାରମ୍ବାର ଦାୟୀ କରିଛନ୍ତି ଧନଖଡ । ଏପରିକି ବିରୋଧୀ ଦଳ ଦେଶରେ ଅସ୍ଥିରତା ପାଇଁ ଉଦ୍ୟମ କରୁଥିବା ଧନଖଡ କହିଛନ୍ତି ।

ବଢି ଚାଲିଥିବା ତିକ୍ତତା ମଧ୍ୟରେ ଇଣ୍ଡି ମେଂଟ ରାଜ୍ୟସଭା ସଭାପତି ଭାବେ ଧନଖଡଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ନୋଟିସ ଦେବା ପାଇଁ ବିଚାର କରୁଛି । ରିପୋର୍ଟରୁ ଜଣାପଡିଛି ଯେ, ୮୭ରୁ ୮୦ ଜଣ ବିରୋଧୀ ଦଳ ସଦସ୍ୟ ନୋଟିସରେ ଦସ୍ତଖତ କରିଛନ୍ତି । ତେବେ, ଗୃହ ମୁଲତବୀ ହୋଇଯାଇଥିବାରୁ ବିରୋଧୀଙ୍କ ଧନଖଡ ହଟାଅ ଅଭିଯାନ ବିଳମ୍ବିତ ହେବ । ଧନଖଡଙ୍କ ବିରୋଧରେ ପ୍ରସ୍ତାବିତ ମହାଭିଯୋଗ ନେଇ ଗୃହର ନେତା ଜେ.ପି ନଡ୍ଡାଙ୍କୁ ବିରୋଧୀ ମେଂଟ ଜଣାଇ ଦେଇଥିବା କୁହାଯାଉଛି ।

ଭାରତୀୟ ସଂସଦୀୟ ଇତିହାସରେ ଆଗରୁ କୌଣସି ରାଜ୍ୟସଭା ସଭାପତିଙ୍କ ବିରୋଧରେ ମହାଭିଯୋଗ ବା ଅନାସ୍ଥା ପ୍ରସ୍ତାବ ଆଗତ ହୋଇନାହିଁ । ୨୦୨୦ରେ ରାଜ୍ୟସଭାର ତତ୍କାଳୀନ ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ୧୨ଟି ବିରୋଧୀ ଦଳ ଆଗତ କରିଥିଲେ ଅନାସ୍ଥା ପ୍ରସ୍ତାବ । କିନ୍ତୁ ସେତେବେଳର ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ପ୍ରସ୍ତାବ ଖାରଜ କରିଦେଇଥିଲେ ।

ସମ୍ବିଧାନର ଧାରା ୬୭ ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଯାଇପାରିବ । ସମ୍ବିଧାନ ଉଲ୍ଲଂଘନ, କ୍ଷମତାର ଅପବ୍ୟବହାର ଓ ଗୃହ ଚଳାଇବା ପାଇଁ ଅସମର୍ଥ ଅଭିଯୋଗ ଭିତ୍ତିରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଯାଇପାରିବ ।

 

Comments are closed.