Latest Odisha News

ବିବାଦ…ବିତ୍ତିହୋତ୍ର…ବିଦାୟ

ଭୁବନେଶ୍ବର: ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କର ଭୁବନେଶ୍ବର ଏମସରେ ମୃତ୍ୟୁ ହୋଇଛି । ସେ ଷ୍ଟୋମାକ କ୍ୟାନସରରେ ଆକ୍ରାନ୍ତ ଥିଲେ । ପ୍ରଥମେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର ମେଡିକାଲ ଓ ପରେ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଜର୍ମାନ ଯୁବତୀଙ୍କୁ ବଳାତ୍କାର ମାମଲାରେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର । ତାଙ୍କ ଜୀବନ କାହାଣୀରେ ଆସିଥିବା ଟୁଇଷ୍ଟ ଓ ଟର୍ଣ୍ଣ କୌଣସି ଫିଲ୍ମଠୁ କମ୍ ନଥିଲା। ବିତ୍ତିହୋତ୍ରଙ୍କ ପରଲୋକରେ ଏଥିରେ ଜବନୀକା ପଡିଛି ।

ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ ମାମଲା

୨୦୦୬ରେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର ମହାନ୍ତି । ରାଜସ୍ଥାନ ଅଲଓ୍ବାରକୁ ବୁଲି ଯାଇଥିବା ବେଳେ ସେଠାରେ ଏକ ହୋଟେଲରେ ବିତ୍ତିହୋତ୍ର ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାରେ ରାଜସ୍ଥାନ ପୋଲିସ ତାଙ୍କୁ ଘଟଣାର ପରଦିନ ତଥା ମାର୍ଚ୍ଚ ୨୧ତାରିଖରେ ଗିରଫ କରିଥିଲା। ୨୦୦୬ ଏପ୍ରିଲରେ ଜୟପୁରରେ ଏକ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏପ୍ରିଲ ୧୨ତାରିଖରେ ହିଁ ବିତ୍ତିହୋତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ହଜାର ଟଙ୍କା ଜରିମାନା ଶୁଣାଇଥିଲେ କୋର୍ଟ ।

ପାରୋଲରେ ହୋଇଥିଲେ ଫେରାର

ଜେଲରେ ଥିବା ବେଳେ ମାଆଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ୨୦୦୬ ନଭେମ୍ବରରେ ତାଙ୍କୁ ୧୫ଦିନ ପାରୋଲରେ ଯିବାକୁ ଅନୁମତି ମିଳିଥିଲା । ତେବେ ପାରୋଲରେ ଆସି ଆଉ ଜେଲକୁ ନଫେରି ଡିସେମ୍ବର ୪ତାରିଖରେ ଫେରାର ହୋଇ ଯାଇଥିଲେ ବିତ୍ତିହୋତ୍ର। ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା ବିତ୍ତିହୋତ୍ରଙ୍କ ବାପା ଅଭିଯୋଗ କରିଥିଲେ । ପରେ ତାଙ୍କ ବାପା ତଥା ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ନାଁରେ ଜାମିନ ବିହୀନ ପରଓ୍ବାନା ଜାରି କରାଗଲା। ପୁଅକୁ ଫେରାର ହେବାରେ ସହଯୋଗ କରିବା ନେଇ ଅଭିଯୋଗ ହୋଇଥିଲା । ୫ମାସର ଲୁଚକାଳି ପରେ ୨୦୦୮ ଜାନୁଆରୀ ୧୦ ତାରିଖରେ ଆତ୍ମସମର୍ପଣ କରିଥିଲେ ବିବି ମହାନ୍ତି । ତେବେ ପରଦିନ ହିଁ ତାଙ୍କୁ ବେଲ୍ ମିଳିଥିଲା । ବିବି ମହାନ୍ତିଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ଓଡିଶା ସରକାର । ପରେ ୨୦୦୯ ମେ ୧୩ତାରିଖରେ ସେ ପୁଣି ଚାକିରିକୁ ଫେରିଥିଲେ । ୨୦୧୦ ଏପ୍ରିଲରେ ସେ ଚାକିରିରୁ ଅବସର ନେଇଥିଲେ ।

ବିତ୍ତିହୋତ୍ର ହେଲେ ରାଘବ ରାଜ

ପାରୋଲରେ ଆସି ଫେରାର ହେବା ପରେ ୭ବର୍ଷ ଧରି ପୋଲିସ ବିତ୍ତିହୋତ୍ରଙ୍କୁ ଗିରଫ କରିପାରିନଥିଲା । ୨୦୧୩ ମାର୍ଚ୍ଚ ୯ତାରିଖରେ ତାଙ୍କୁ କେରଳର କନ୍ନୁରରୁ ଗିରଫ କରାଯାଇଥିଲା । ସେତେବେଳେ ନାଁ ବଦଳାଇ ମିଛ ପରିଚୟରେ ରହୁଥିଲେ ବିତ୍ତିହୋତ୍ର । ପରିଚୟ ବଦଳାଇ ନିଜକୁ ଆନ୍ଧ୍ରପ୍ରଦେଶ ପୁଟ୍ଟପତିର ରାଘବ ରାଜ ବୋଲି କହିଥିଲେ । ମିଛ କହି ଷ୍ଟେଟବ୍ୟାଙ୍କ ଅଫ୍ ଟ୍ରାଭାନକୋରରେ କାମ କରୁଥିଲେ । ମିଛ ପରିଚୟ ସାଙ୍ଗକୁ ନିଜ ହୁଲିଆ ବି ବଦଳାଇଥିଲେ ବିତ୍ତିହୋତ୍ର । ହେଲେ ଶେଷରେ ପୋଲିସ ହାତରେ ଧରାପଡିଥିଲେ ।

ଜେଲ୍ ପରେ ବେଲ୍

୨୦୧୭ ମାର୍ଚ୍ଚ ୩୧ ତାରିଖରେ ବିତ୍ତିହୋତ୍ରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ସେ ପାରୋଲ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଜେଲରୁ ଛାଡିନଥିଲେ ରାଜସ୍ଥାନ ଜେଲ୍ କର୍ତ୍ତୃପକ୍ଷ । ଏହାପରେ ରାଜସ୍ଥାନ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ବିତ୍ତିହୋତ୍ର । ହାଇକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ସେହି ବର୍ଷ ଜୁଲାଇରେ ଜେଲରୁ ମୁକୁଳିଥିଲେ। ତେବେ ଜେଲରେ ଥିବା ବେଳେ ହିଁ କ୍ୟାନସରରେ ପୀଡିତ ଥିଲେ ବିତ୍ତିହୋତ୍ର । ଜେଲରୁ ବାହାରିବା ପରେ ସେ ଚିକିତ୍ସିତ ହେଉଥିଲେ । ତେବେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେଠାରେ ବିତ୍ତିହୋତ୍ରଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବ ।

Comments are closed.