Latest Odisha News

BREAKING NEWS

ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡିର ବର୍ଜନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ନୂଆ ବିଧାୟକଙ୍କଚ ଦିଆଯିବାକୁ ଥିବା ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିଛି ବିଜେଡି । ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଛି ଦଳ । ଏ ସମ୍ପର୍କରେ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ବିଧାନସଭାରେ ହେଉଥିବା ସମସ୍ତ କାର୍ଯ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ସଭ୍ୟଙ୍କ ଦ୍ବାରା ସମ୍ପାଦିତ କରାଯିବାର ପରମ୍ପରା ରହିଛି । କିନ୍ତୁ ନୂଆ ବିଧାୟକଙ୍କୁ ଦିଗଦର୍ଶନ କାର୍ଯ୍ୟକ୍ରମର ଉଦଘାଟନ କେନ୍ଦ୍ରମନ୍ତ୍ରୀ କରିବା ଗୃହର ପରମ୍ପରା ଓ ମର୍ଯ୍ୟଦାକୁ ଭଙ୍ଗ କରୁଛି ବୋଲି ଚିଠିରେ ପ୍ରମିଳା ମଲ୍ଲିକ ଉଲ୍ଲେଖ କରିଛନ୍ତି ।

ଆହୁରି ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ । କିନ୍ତୁ ଏହି କାର୍ଯ୍ୟାକ୍ରମରେ ସେ ଜଣେ ସାଧାରଣ ବକ୍ତା ଭାବେ ଯୋଗ ଦେବା ଦ୍ୱାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ହାନୀ କରାଯାଉଛି । ଯେଉଁ କାରଣରୁ ଦଳ ଏହି ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଜାରି ରହିବ ।

Comments are closed.