Latest Odisha News

BREAKING NEWS

ଛାତ୍ର ସଂସଦ ନିର୍ବାଚନ…ବିଧାନସଭାରେ ତାତି

ଭୁବନେଶ୍ବର: କାହିଁକି ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ କଲେଜରେ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ନୁହେଁ ୨୦୨୫ରେ ହେବା ନେଇ କହିବା ପରେ ତାତିଛି ରାଜ୍ୟ ରାଜନୈତିକ ପାଣିପାଗ । ନୂଆ ସରକାର ଆସିବା ପରେ ନିର୍ବାଚନ କରାଇବା ପାଇଁ ସମୟ ମିଳିନଥିବାରୁ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି ମନ୍ତ୍ରୀ କହିବା ପରେ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଛନ୍ତି । ବିଧାନସଭାରେ ବି ଛାତ୍ର ସଂସଦ ନିର୍ବାଚନ ତାତି ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ବାରମ୍ବାର ମୁଲତବି ହୋଇଥିଲା ।

କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ?

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଧାନସଭା ହୁଲସ୍ତୁଲ । ନିର୍ବାଚନରେ ଯୁବକମାନେ ରାଜନୀତିକୁ ପ୍ରବେଶ କରନ୍ତି । ୨୦୧୮ରୁ ରାଜ୍ୟରେ ନିର୍ବାଚନ ହେଇନି । ପୂର୍ବ ସରକାର ନିର୍ବାଚନ କରାଇନଥିଲେ । ବିଜେପି ସରକାର ଆସିଲା ପରେ ନିର୍ବାଚନ କରିବାକୁ କହିଥିଲେ। ହେଲେ ଆଇନ ମନ୍ତ୍ରୀ ମନା କରିଦେଲେ । ଛାତ୍ର ସଂସଦ ନିର୍ବାଚନ ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ସେପଟେ କଲେଜ ନିର୍ବାଚନ ପାଇଁ ସ୍ଥିତି ପରଖାଯାଉଛି । ବ୍ୟବସ୍ଥା ହେବା ପରେ ଆସନ୍ତା ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି କହିଛି ।

ମନ୍ତ୍ରୀଙ୍କ କଥାରେ ନାହିଁ ତାଳମେଳ !

ବିଜେପି ସରକାର କ୍ଷମତାକୁ ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ରଖିଥିଲେ । ନିର୍ବାଚନ ନେଇ ଆଲୋଚନା ଚାଲିଥିବା କଥା ବି ଅନେକ ଥର ଗଣମାଧ୍ୟମରେ କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ଏପରିକି ପୂର୍ବ ବିଜେଡି ସରକାର କୋଭିଡ୍ ଆଳରେ ନିର୍ବାଚନ ବନ୍ଦ କରିଥିବା ବି ଅଭିଯୋଗ ଆଣିଥିଲେ । ହେଲେ ଏବେ ଆଇନ ମନ୍ତ୍ରୀ ସମୟ ନଥିବା କଥା କହି ନିର୍ବାଚନ ଟାଳିଛନ୍ତି । ଉଭୟ ବିଜେପି ସରକାରରେ ମନ୍ତ୍ରୀ ରହିଥିବା ବେଳେ ସେମାନଙ୍କ କଥାରେ ତାଳମେଳ ରହୁନି। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ବିରୋଧୀଙ୍କ ଟାର୍ଗେଟରେ ସରକାର

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନହେବା ନେଇ ମନ୍ତ୍ରୀଙ୍କ ବୟାନ ପରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । କଲେଜ ନିର୍ବାଚନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଛି । ହେଲେ ଆଇନ ମନ୍ତ୍ରୀ ଏନେଇ ଘୋଷଣା କରିବାକୁ ନେଇ ସରକାରଙ୍କୁ ବିଜେଡି ସମାଲୋଚନା କରିଛି । ସେହିପରି ପୂର୍ବରୁ ନିର୍ବାଚନ ଦାବି କରୁଥିବା ବିଜେପି ଏବେ ହାରିବା ଡରରେ ନିର୍ବାଚନ ବନ୍ଦ କରୁଛି। ନିର୍ବାଚନ ହେଲେ ବିଜେଡି ୯୦ପ୍ରତିଶତରୁ ଅଧିକ ଶିକ୍ଷାନୁଷ୍ଠାନରେ ଜିତିବ ବୋଲି ବିଜୁ ଛାତ୍ର ଜନତା ଦଳ କହିଛି । ସେପଟେ କଂଗ୍ରେସ ବି ବିଜେପି ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛି। ପୂର୍ବ ବିଜେଡି ସରକାର ବେଳେ ବି ଦଳ କଲେଜ ନିର୍ବାଚନ ପାଇଁ ଆନ୍ଦୋଳନ କରିଥିଲା ଏବେବି କରୁଛି । ନିର୍ବାଚନ ନହେଲେ ଦଳ କଲେଜରୁ ସଡ଼କ ସବୁଠି ଆନ୍ଦୋଳନ କରିବ ବୋଲି କଂଗ୍ରେସ କହିଛି ।

ଶେଷଥର ପାଇଁ ୨୦୧୭ରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ସେତେବେଳେ ବିରୋଧୀ ଆସନରେ ରହିଥିବା ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି କଲେଜ ନିର୍ବାଚନ ପାଇଁ ଆନ୍ଦୋଳନ କରିବା ସହ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏବେ ବିଜେପି ସରକାରକୁ ଆସିବା ପରେ ନିର୍ବାଚନ କରାଇବାକୁ ଏବିଭିପି ବି କହିଛି ।

Comments are closed.