Latest Odisha News

BREAKING NEWS

ଆରଜି କର ହସ୍ପିଟାଲରେ ଭଙ୍ଗାରୁଜା ମାମଲା: ୩ ପୋଲିସ ନିଲମ୍ବିତ, ମେଡିକାଲ ଦାୟିତ୍ୱ ନେଲା ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ମାମଲାରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାନୁସାରେ, ପୋଲିସ କର୍ମଚାରୀଙ୍କ ଅବହେଳାର ପ୍ରମାଣ ମିଳିଛି ଏବଂ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଥାଉକି ବିକ୍ଷୋଭକାରୀମାନେ ଅଗଷ୍ଟ ୧୪ ରାତିରେ ଆକ୍ରମଣ କରି ଡାକ୍ତରଖାନାକୁ ଭଙ୍ଗାରୁଜା କରିଥିଲେ।

ଆପଣଙ୍କୁ କହିରଖୁଛୁ ଯେ ଆରଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ରୁଜୁ ହୋଇଛି। ଏଥିସହ ସନ୍ଦୀପ ଘୋଷଙ୍କୁ ଆରଜି କର ମେଡିକାଲ କଲେଜରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ସିବିଆଇ ପଚରାଉଚରା ଜାରି ରଖିଛି। ଡାକ୍ତରଖାନା ପ୍ରଶାସନର ଅବହେଳାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି କାରଣରୁ ସନ୍ଦେହ ମଧ୍ୟ ସୃଷ୍ଟି ହେଉଛି। ଡାକ୍ତରଖାନା ପ୍ରଶାସନ ସେହି ସମୟରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଅନ୍ୟପଟେ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଶୁଣାଣି ବେଳେ ସୁପ୍ରିମକୋର୍ଟ କୋଲକାତା ପୋଲିସ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଥିଲା ବେଳେ ଆର ଜି କର ହସ୍ପିଟାଲ ଡାକ୍ତରଙ୍କ ସୁରକ୍ଷା ରାଜ୍ୟ ପୋଲିସ ଉପରେ ଛଡା ଯାଇପାରିବ ନାହିଁ ବୋଲି ତୀବ୍ର ଭର୍ତ୍ସନା କରି କହିଛନ୍ତି। ଏହି ହସ୍ପିଟାଲର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍‌) ହାତରେ ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ବେଳେ ଡାକ୍ତରମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲା ବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖିଥିବା ବରିଷ୍ଠ ଓକିଲ କପିଲ ଶିବଲ କୋଲକାତା ପୋଲିସକୁ ଦିଆଯାଉ ବୋଲି କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆହୁରି କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଠି ହଜାର ହଜାର ସଂଖ୍ୟାରେ ଲୋକମାନେ ହସ୍ପିଟାଲ ଭିତରକୁ ପ୍ରବେଶ କରିପାରନ୍ତି ଏବଂ ଆନ୍ଦୋଳନକାରୀ ମହିଳା ଡାକ୍ତରମାନଙ୍କୁ ଦୁଷ୍କର୍ମ କରାଯିବ ବୋଲି ସର୍ବସମ୍ମୁଖରେ ଧମକ ଦେଇପାରନ୍ତି ସେଠାରେ ରାଜ୍ୟ ପୋଲିସ ଉପରେ କି ଭରସା କରାଯାଇପାରିବ ବୋଲି ପ୍ରଶ୍ନ କରିଥିଲେ। ତେଣୁ କେନ୍ଦ୍ରୀୟ ସୁରକ୍ଷା ବଳ ହସ୍ପିଟାଲ ସୁରକ୍ଷା ଦାୟିତ୍ବରେ ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଡାକ୍ତରଖାନାର ସୁରକ୍ଷା ଦାୟିତ୍ୱ ସିଏସ୍ଏଫ୍‌କୁ ଦିଆଯାଇଛି। ଏହି ସମୟରେ ସିଏସ୍ଏଫ୍ ଡିଜି ଡାକ୍ତରଖାନାରେ ପହଞ୍ଚିଛି।

Comments are closed.