Latest Odisha News

BREAKING NEWS

୮ ଦିନରୁ ୮ ମାସ; ଏ ବର୍ଷ ଫେରିବେ ନାହିଁ ସୁନୀତା 

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହୋଇଛି । ଆଇଏସଏସରେ ଫସି ରହିଥିବା ଆମେରିକାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମସ ଓ ସାଥୀ ବୁଚ୍ ୱିଲମୋରଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହେବ । ମହାକାଶକୁ ନାସା ମିଶନରେ ମାତ୍ର ୮ ଦିନ ପାଇଁ ଯାଇଥିଲେ ଦୁଇ ମହାକାଶଚାରୀ । ଷ୍ଟାରଲାଇନର କ୍ୟାପସୁଲରେ ବୈଷୟିକ ତ୍ରୁଟି ଯୋଗୁଁ ସୁନୀତା ଓ ବୁଚ୍ ଆଇଏସଏସରେ ଫସି ରହିଛନ୍ତି ।

ନୂଆବର୍ଷରେ ନୂଆ ଯାନରେ ଫେରିବେ 

ସବୁ କଳ୍ପନାଜଳ୍ପନାର ଅନ୍ତ କରି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସ୍ପଷ୍ଟ କରିଦେଇଛି ଯେ, ସୁନୀତା ଓ ବୁଚ୍ ଏ ବର୍ଷ ପୃଥିବୀ ଫେରିପାରିବେ ନାହିଁ । ଦୁଇ ମହାକାଶଚାରୀ ୨୦୨୫ ଫେବ୍ରୁଆରୀରେ ହିଁ ପୃଥିବୀ ଫେରିବେ ବୋଲି ସୂଚନା ଦେଇଛି ନାସା । ବୋଇଂ କମ୍ପାନିର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ବଦଳରେ ପ୍ରତିଦ୍ୱନ୍ଦୀ ସ୍ପେସଏକ୍ସର କ୍ରୁ ଡ୍ରାଗନରେ ସୁନୀତା ଓ ବୁଚଙ୍କୁ ଫେରାଇ ଆଣିବାକୁ ଯୋଜନା କରୁଛି ନାସା । ସ୍ପେସଏକ୍ସ ହେଉଛି ଏଲନ ମସ୍କଙ୍କ କମ୍ପାନୀ ।

ସୁନୀତା ୱିଲିୟମସ ସ୍ପେସଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲରେ ଆସନ୍ତାବର୍ଷ ଫେବ୍ରୁଆରୀ ମଧ୍ୟରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ । ନାସା ମୁଖ୍ୟ ବିଲ୍ ନେଲସନ୍ ଏହି ସୂଚନା ଦେଇଛନ୍ତି । ସୁନୀତା ଓ ବୁଚ୍ ୱିଲମୋର୍ କ୍ରୁ-୯ ସହ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି ନାସା ମୁଖ୍ୟ । ସେପଟେମ୍ବରରେ ନାସା ସ୍ପେସଏକ୍ସ କ୍ରୁ ଡ୍ରାଗନକୁ ମହାକାଶ ପ୍ରେରଣ କରିବ । ଷ୍ଟାରଲାଇନର ବିନା କ୍ରୁରେ ଆଇଏସଏସରୁ ବିଚ୍ଛିନ୍ନ ହୋଇ ପୃଥିବୀପୃଷ୍ଠକୁ ଫେରିବ ।

୮ ଦିନରୁ ୮ ମାସ 

ଏ ବର୍ଷ ଜୁନରେ ସୁନୀତା ଓ ୱିଲମୋର ବୋଇଂ ନିର୍ମିତ ଷ୍ଟାରଲାଇନର କ୍ୟାପସୁଲରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିଲେ । ମାତ୍ର ୮ ଦିନ ପାଇଁ ପଠାଇଥିଲା ନାସା । ହେଲେ ଷ୍ଟାରଲାଇନ କ୍ୟାପସୁଲରେ ଦେଖାଦେଇଥିଲା ବୈଷୟିକ ତ୍ରୁଟି । ୨୮ଟି ଥ୍ରଷ୍ଟର ମଧ୍ୟରୁ ୫ଟି ଖରାପ ହୋଇଯାଇଥିଲା । ମହାକାଶକୁ ଯିବାର ୨୪ ଘଂଟା ମଧ୍ୟରେ ହିଁ ଷ୍ଟାରଲାଇନର କ୍ୟାପସୁଲରେ ଦେଖାଦେଇଥିଲା ବୈଷୟିକ ତ୍ରୁଟି । ହିଲିୟମ ଲିକ୍ ହୋଇ ଉପୁଜିଥିଲା ଗମ୍ଭୀର ପରିସ୍ଥିତି । ଏଥିପାଇଁ ସୁନୀତା ଓ ସାଥୀଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଛି । ତେବେ, ଅଧିକ ଦିନ ମହାକାଶରେ ବିଚରଣ ଯୋଗୁଁ ଦୁଇ ମହାକାଶଚାରୀ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସାମନା କରିବେ ।

ବୋଇଙ୍ଗର ସାମର୍ଥ୍ୟ ପ୍ରତି ପ୍ରଶ୍ନ

ଷ୍ଟାରଲାଇନର ସ୍ପେସକ୍ରାଫଟରେ ସମସ୍ୟା ଏରୋସ୍ପେସ୍ କ୍ଷେତ୍ରରେ ବୋଇଙ୍ଗ କମ୍ପାନି ପାଇଁ ଏକ ଶକ୍ତ ଧକ୍କା । ଷ୍ଟାରଲାଇନର କ୍ୟାପସୁଲରେ ତ୍ରୁଟି କମର୍ସିଆଲ ସ୍ପେସ ଇଣ୍ଡଷ୍ଟ୍ରିରେ ବୋଇଙ୍ଗର ସାମର୍ଥ୍ୟ ନେଇ ସୃଷ୍ଟି କରିଛି ଅନେକ ପ୍ରଶ୍ନ । ଦିନେ ଏରୋସ୍ପେସ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଥିଲା ବୋଇଙ୍ଗ୍ । କିନ୍ତୁ ଏବେ ବୋଇଙ୍ଗର ସ୍ପେସକ୍ରାଫ୍ଟର ନିରାପତ୍ତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଏଲନ ମସ୍କଙ୍କ ସ୍ପେସଏକ୍ସ କମ୍ପାନି ଏରୋସ୍ପେସ କ୍ଷେତ୍ରରେ ବୋଇଙ୍ଗଠୁ ଟପିଗଲାଣି ।

ବିପଦମୁକ୍ତ ନୁହେଁ କମର୍ସିଆଲ ସ୍ପେସକ୍ରାଫ୍ଟ ?

ମହାକାଶକୁ ନାସା ଆଉ ନିଜ ନିର୍ମିତ ଯାନ ପଠାଉ ନାହିଁ । ଖର୍ଚ୍ଚ କମାଇବା ପାଇଁ ବ୍ୟାପକ ରଣନୀତି ସ୍ୱରୂପ ନାସା ଏବେ କମର୍ସିଆଲ ପାର୍ଟନରଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ନାସାର ଏହି ରଣନୀତି ବିପଦମୁକ୍ତ ନୁହେଁ । ବର୍ତ୍ତମାନର ବୋଇଙ୍ଗ୍ ଷ୍ଟାରଲାଇନର ସଂକଟ ତାହା ପ୍ରମାଣିତ କରିଛି । ମାନବଯୁକ୍ତ ମିଶନରେ କମର୍ସିଆଲ ପାର୍ଟନରମାନେ ସେମାନଙ୍କ ମହାକାଶ ଯାନର ସୁରକ୍ଷା ଦିଗ ପ୍ରତି ଯେପରି ଅଧିକ ଧ୍ୟାନ ଦେବେ , ତାହା ସୁନିଶ୍ଚିତ କରିବାକୁ ନାସା ଉପରେ ଚାପ ପଡିବା ଆରମ୍ଭ ହେଲାଣି ।

 

Comments are closed.