Latest Odisha News

BREAKING NEWS

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ଓଡିଶାକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଡ. ହରେକୃଷ୍ଣ ମହତାବଙ୍କ ନାମ ବେଶ ଜଣାଶୁଣା ।

ସେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ମଧ୍ୟ ଖୁବ୍ ପରିଚିତ ହୋଇପାରିଥିଲେ ।

ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୨୧ ନଭେମ୍ବର ୧୮୯୮ରେ ତାଙ୍କର ଜନ୍ମ । ପିତାଙ୍କ ନାମ କୃଷ୍ଣଚରଣ ଦାସ । ମାତା ଆଗରପଡ଼ା ଜମିଦାର ଜଗନ୍ନାଥ ମହତାବଙ୍କ କନ୍ୟା ତୋହଫା ବିବି ।

ଏକାଧାରରେ ସେ ଥିଲେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ, ଐତିହାସିକ, ଗବେଷକ, ସାମ୍ବାଦିକ ଏବଂ ଲେଖକ ।

ଗାଁ ସ୍କୁଲରେ ପାଠପଢ଼ା ସାରି ଭଦ୍ରକ ହାଇସ୍କୁଲରେ ଅଧ୍ୟୟନ କଲେ ମହତାବ । ପରେ ନିଖିଳ ଭାରତ କଂଗ୍ରେସ୍ କମିଟି ଅଧିବେଶନରେ ଯୋଗଦେଇ ମହାତ୍ମାଗାନ୍ଧୀ, ଲାଲା ଲଜପତ ରାୟ, ମୋତିଲାଲ୍ ନେହରୁ ପ୍ରମୁଖଙ୍କ ସଂସ୍ପର୍ଶରେ ଆସିଥିଲେ ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ଦୁଇଟି ପ୍ରାଦେଶିକ ବିଧାନସଭା ନିର୍ବାଚନ ହୋଇଥିଲା ସେଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ମହତାବ । ୧୯୪୬ ଏପ୍ରିଲ୍ ୨୩ରୁ ୧୯୫୦ ଜାନୁଆରୀ ୨୬ ଯାଏ ଓଡ଼ିଶାର ପ୍ରଧାନମନ୍ତ୍ରୀ ଏବଂ ଏହା ପରଠାରୁ ୧୯୫୦ ମେ ୧୨ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ଶାସନ କରିଥିଲେ ।

ଏହି ଅବଧି ମଧ୍ୟରେ ଭୁବନେଶ୍ୱରରେ ରାଜଧାନୀ ସହର ପ୍ରତିଷ୍ଠା, ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ସହ ମିଶ୍ରଣ, ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଆଦି ଉଲ୍ଲେଖନୀୟ କାର‌୍ୟ୍ୟ କରିଥିଲେ ମହତାବ । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିଲା ।

‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଗଠନ କରିବା ସହିତ ଦୈନିକ ‘ପ୍ରଜାତନ୍ତ୍ର’ ଏବଂ ସାହିତ୍ୟ ପତ୍ରିକା ‘ଝଙ୍କାର’ ପ୍ରକାଶନର ପ୍ରଶଂସନୀୟ ଉଦ୍ୟମ ସେ କରିଥିଲେ । କଳିଙ୍ଗ ଜିମ୍ନାସିୟମ୍, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍, ବାରବାଟୀ ଷ୍ଟାଡିୟମ୍ ଆଦି ତାଙ୍କ ନିଷ୍ଠାପର ଉଦ୍ୟମର ଫଳଶ୍ରୁତି । ‘ଗାଁ ମଜଲିସ୍’ ଭଳି ଲୋକପ୍ରିୟ ସ୍ତମ୍ଭ ସମେତ ଅନେକ ଉଚ୍ଚକୋଟୀର ପୁସ୍ତକ ରଚନା କରିଥିଲେ।

ପରବର୍ତ୍ତୀ ସମୟରେ ‘ଉତ୍କଳ କେଶରୀ’ ଭାବେ ପରିଚିତ ଡ. ମହତାବ ୨ ଜାନୁଆରୀ ୧୯୮୭ରେ ଦେହତ୍ୟାଗ କରିଥିଲେ ।

Leave A Reply

Your email address will not be published.