କଟକ: ହୋମ୍ଗାର୍ଡଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ। ଏଣିକିଅଗ୍ନିଶମ ବିଭାଗରେ ହୋମ୍ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହି ଅବସରରେ ଅଦାଲତ କହିଛନ୍ତି, ଅଗ୍ନିଶମ ସେବା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଅନେକ ଜରୁରୀକାଳୀନ ସେବା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ। ଏହାର ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେବା ଉଚିତ୍ ନୁହେଁ। ଯଦି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହୁଏ ତାହା ପରୋକ୍ଷରେ ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇବ।
ସେହିପରି ନିଯୁକ୍ତି ପ୍ରକ୍ରିୟା ଉପରେ ଯେଉଁ ରହିତାଦେଶ ଜାରି ହୋଇଥିଲା ସେବୁକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଆବେଦନକାରୀ ବିଜୟ କୁମାର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସ୍.କେ.ପାଣିଗ୍ରାହୀ ସୋମବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମାମଲାରେ ରାୟ ପ୍ରକାଶ ପାଇବା ପରେ ହୋମ୍ଗାର୍ଡ଼ଙ୍କୁ ନ୍ୟାୟ ମିଳିପାରିଛି।
ସୂଚନା ଥାଉକି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ୮୨୬ଟି ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ୍ ପଦର ୧୦ % ହୋମ୍ଗାର୍ଡଙ୍କ ପାଇଁ ସଂରକ୍ଷଣ ରହିବା ନେଇ ବିଭାଗର ନିୟମ ରହିଛି। ଏହି ନିୟମ ଆଧାରରେ ୮୩ ଜଣ ହୋମ୍ଗାର୍ଡ ଏଥିରେ ନିଯୁକ୍ତି ପାଇବା କଥା। ଅଗ୍ନିଶମ ବିଭାଗ ୮୩ଟି ପଦରୁ ମାତ୍ର ୨୯ଟି ପଦରେ ହୋମ୍ଗାର୍ଡମାନଙ୍କୁ ନିଯୁକ୍ତି ଦେଇଥିଲା। ବାକି ୫୪ଟି ପଦରେ ହୋମ୍ଗାର୍ଡଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ସେଥିରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାକୁ ବିରୋଧ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
Comments are closed.