ବଲାଙ୍ଗୀର: ବଲାଙ୍ଗୀରରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଦଶରୁ ଉର୍ଦ୍ଧ ଅସାମାଜିକ ଯୁବକ ସଂଗବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଆଶିଷ ପାଣ୍ଡେଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୀମଭୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢେ଼ ଆଠ ଘଟିକା ସମୟରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଧୀନ ଫଟାମୁଣ୍ଡା ଗ୍ରାମରେ ୧୦ ରୁ ଊର୍ଦ୍ଧ୍ବ ଯୁବକ ସଂଘବଦ୍ଧ ଭାବରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ଆଶିଷ ପାଣ୍ଡେଙ୍କୁ ଆକ୍ରମଣ କରିଥିଲେ। ଆଶିଷଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଙ୍ଗରେ ଆଘାତ ହୋଇଛି। ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକିଛି ଦିନ ତଳେ କିଛି ବ୍ୟକ୍ତି ଏକ ଡ୍ୟାମର ଯନ୍ତ୍ରାଂଶ ଚୋରି ଘଟଣାରେ ସଂପୃକ୍ତ ଥିଲେ। ସ୍ଥାନୀୟ ବ୍ୟକ୍ତି ବିଶେଷ ଓ କୃଷକମାନେ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଚୋରି ଘଟଣା ସମ୍ପର୍କରେ ଥାନାରେ ଏତଲା ଦାୟର କରିଥିଲେ। ଅଭିଯୁକ୍ତମାନଙ୍କୁ ପୋଲିସ ତଦନ୍ତ କରି ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଜାମିନ ପାଇବା ପରେ ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇ ଆଶିଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ଦୁର୍ବୁତ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି।