Latest Odisha News

BREAKING NEWS

ସରିଗଲା ଲାଲ ମାଟିର ବାଦଶାହଙ୍କ କ୍ୟାରିୟର

ମଲାଗା: କ୍ଲେ କିଙ୍ଗ, ଲାଲ ମାଟିର ବାଦଶାହ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲଙ୍କ ସ୍ୱର୍ଣ୍ଣିମ କ୍ୟାରିୟରର ଅନ୍ତ ଘଟିଛି । ନାଡାଲ ତାଙ୍କ ହୋମ ଗ୍ରାଉଣ୍ଡ ମଲାଗାରେ ଶେଷ ମୁକାବିଲା ଖେଳିଥିଲେ । ଡେଭିସ କପର ଏହି ମ୍ୟାଚରେ ସେ ନେଦରଲାଣ୍ଡର ଭେଟିକ ଭାନଦ ଜେଡଶୁଲ୍ୟ ପରାସ୍ତ କରିଥିଲେ । ଡେଭିସକପରେ କ୍ରମାଗତ ୨୯ ମ୍ୟାଚ ଜିତିଥିବା ନାଡାଲ ଶେଷରେ ପରାଜୟରେ ଅଭିଯାନ ଶେଷ କରିଥିଲେ ।

୩୮ ବର୍ଷୀୟ ନାଡାଲ ଏହା ପରେ ଭାବପ୍ରବଣ ହୋଇ କହିଥିଲେ ମୋ ମନର ଶାନ୍ତି ପାଇଁ ଟେନିସରୁ ବିଦାୟ ନେଇଛି । ମୋତେ ଯେଉଁ ସ୍ନେହ ଓ ସମ୍ମାନ ମିଳିଛି ତାହା କେବେ ବି ମନରୁ ଯିବ ନାହିଁ । ନାଡାଲ ତାଙ୍କର ଏହି ସଫଳ କ୍ୟାରିୟରର ଶ୍ରେୟ କକାଙ୍କୁ ଦେଇଛନ୍ତି । ପିଲାବେଳୁ ସେ ମୋତେ ଟେନିସ ଖେଳାଇବା ଶିଖାଇଥିଲେ ।

ନାଡାଲ ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ସେ ୨୨ଟି ଟାଇଟଲ ଜିତିଥିବା ବେଳେ ସର୍ବିୟାର ନୋଭାକ ଜୋକୋଭିଚ ୨୪ ଟାଇଟଲ ସହ ଶୀର୍ଷରେ ରହିଛନ୍ତି । ୪ ବର୍ଷ ତଳେ ସୁଇଜରଲାଣ୍ଡର ରୋଜର ଫେଡେରର ଅବସର ଘୋଷଣା କରିଥିଲେ । ଏବେ ନାଡାଲ ବିଦାୟ ନେବା ପରେ ଏକ ଯୁଗର ଅନ୍ତ ଘଟିଛି । ସେ ୧୪ ଥର ଫ୍ରେଂଚ ଓପନ ଟାଇଟଲ ଜିତିଛନ୍ତି । ସେ ଓଭରାଲ ୧୯ ଥର ଏହି ଗ୍ରାଣ୍ଡସ୍ଲାମରେ ଅଂଶଗ୍ରହଣ କରି ୧୧୨ ମ୍ୟାଚ ଜିତିଛନ୍ତି । ମାତ୍ର ୪ଟି ମ୍ୟାଚରେ ସେ ପରାଜିତ ହୋଇଛନ୍ତି ।

୨୦୨୨ରେ ୩୬ ବର୍ଷ ବୟସରେ ସେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଏହାର ଟାଇଟଲ ହାତେଇଥିଲେ । ନାଡାଲ ଗୋଲ୍ଡେନ ସ୍ଲାମ ମଧ୍ୟ ଜିତିଛନ୍ତି । ୩ଜଣ ପୁରୁଷ ଖେଳାଳି ଏହି ସଫଳତା ହାସଲ କରିଛନ୍ତି । ୪ଟି ଗ୍ରାଣ୍ଡସ୍ଲାମ ଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ଜଣେ ଖେଳାଳି ଗୋଲ୍ଡେନ ସ୍ଲାମ ପୂରଣ କରିବ । ପ୍ରାୟ ଏକ ମାସ ତଳେ ନାଡାଲ ତାଙ୍କ ଅବସର ନେଇ ଆଗୁଆ ଘୋଷଣା କରିଥିଲେ । ନଭେମ୍ବରରେ ହେବାକୁ ଥିବା ଡେଭିସ କପ ମୋ କ୍ୟାରିୟରର ଶେଷ ମ୍ୟାଚ ହେବ ବୋଲି ସେ କହିଥିଲେ ।

Leave A Reply

Your email address will not be published.