ପୁଡୁଚେରୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଫେଙ୍ଗଲ । ଆଉ କିଛି ସମୟ ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ତେବେ ଶନିବାର ରାଜି ପ୍ରାୟ ୧୧ ଟା ବେଳକୁ ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍ କରିଥିଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ରୁ ୪ ଘଣ୍ଟା ଜାରି ରହିଥିଲା । ଏହାପରେ ବାତ୍ୟା ଧିରେ ଧିରେ ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିଥିଲା । ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିଥିବା ବେଳେ ଝଟକା ପବନ ୯୦ କିଲୋମିଟର ଛୁଇଁଥିଲା । ଫଳରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଚେନ୍ନାଇରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଛି।
ବାତ୍ୟା ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘରଦ୍ୱାର ନଷ୍ଟ ହେବା ସହ ବଡବଡ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଏବେ ଅସ୍ତବ୍ୟସ୍ତ ଜନଜୀବନ । ଏବେ ପର୍ଯ୍ୟନ୍ତ ୫୦ ସେମି ବର୍ଷା ରେକର୍ଡ ହୋଇଛି । ଅନେକ ସ୍ଥାନରେ ବର୍ଷା ବନ୍ୟା ଆଶଙ୍କା ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଏୟାରପୋର୍ଟ ଅଞ୍ଚଳ ଜଳମଗ୍ନ ହୋଇଛି । ଚେନ୍ନାଇରେ ବିମାନ ଏବଂ ଟ୍ରେନ ସେବା ପ୍ରଭାବିତ ହୋଇଛି । ଆଜି ଅପରାହ୍ନ ଯାଏଁ ଏହି ସେମା ଗୁଡିକୁ ସ୍ଥଗିତ କରାଯାଇଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର, କାଞ୍ଚିପୁରମ, ବେଲ୍ଲୋର, ରାନୀପେଟ, ତିରୁପଥୁର, କୃଷ୍ଣାଗିରି, ଧର୍ମପୁରୀ, ତିରୁବନ୍ନାମଲାଇ, କଲ୍ଲାକୁରିଚି, ବିଲ୍ଲୁପୁରମ୍ ଏବଂ କୁଡ୍ଡାଲୋର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବା ବେଳେ ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ।