Latest Odisha News

BREAKING NEWS

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଓଡ଼ିଶା ଗସ୍ତ ସୂଚୀ

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଚିଠିରେ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି ।

ଆସନ୍ତା ୩ ତାରିଖ ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ୍ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁସେନାର ବିମାନ ଯୋଗେ ବାହାରି ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ । ଏହାପରେ ସିଧାସଳଖ ବିମାନ ବନ୍ଦରରୁ ବାହାରି ୫.୩୦ରେ ଚନ୍ଦ୍ରଶେଖରପୁର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୁର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବେ । ସେଠାରୁ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ଭୁବନେଶ୍ୱର ସ୍ଥିତ ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି ।

ଏହାପର ଦିନ ଅର୍ଥାତ୍ ୪ ତାରିଖ ବୁଧବାର ସକାଳ ୯ଟାରେ ରାଜଭବନରୁ ବାହାରି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ହୀରକ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ଚୂଡ଼ାନ୍ତ ହୋଇଛି ।

ଏହାପରେ ୧୨ଟାରେ ପୁରୀ ରାଜଭବନ ଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୩୦ମିନିଟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ସେହିଦିନ ପୁରୀ ରାଜଭବନ ଠାରେ ରାତ୍ରୀଯାପନ ରାଷ୍ଟ୍ରପତି ମୁର୍ମୁ ।

ସେହିପରି ୫ ତାରିଖ ଗୁରୁବାର ସକାଳ ୯ଟା ୩୫ମିନିଟରେ ପୁରୀରୁ ବାହାରି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦର ପହଞ୍ଚିବା ପରେ ୧୦ଟା ୫୦ମିନିଟରେ ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ” ର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ସନ୍ଧ୍ୟା ୫ଟା ୧୦ମିନିଟରେ ଭୂବନେଶ୍ୱର “ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ”ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସନ୍ଧ୍ୟା ୬ଟା ୩୦ମିନିଟରେ ସେଠାରୁ ବାହାରି ରାଜଭବନ ଠାରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ।

ସେହିପରି ୬ ତାରିଖ ଶୁକ୍ରବାର ଦିନ ରାଷ୍ଟ୍ରପତି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ଭୁବନେଶ୍ୱର ଏଜି ଛକ ଠାରେ ବାବା ସାହେବଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହାପରେ ନିଜ ଜନ୍ମମାଟିରେ ପହଞ୍ଚି ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ ରାଷ୍ଟ୍ରପତି ମୁର୍ମୁ । ସେଠାରୁ ୧୨.୦୫ରେ ବାହାରି ଉପରବେଡା ସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ବଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨.୩୦ମିନିଟରେ ଉପରବେଡା ରୁ ବାହାରି ରାଇରଙ୍ଗପୁର ସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ନ ୩ଟା ସମୟରେ ସେଠାରୁ ବାହାରି ରାଇରଙ୍ଗପୁର ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ବାମୀ ଓ ୨ପୁଅଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସଏଲଏସ୍ ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ସେଠାରୁ ବାହାରି ଅପରାହ୍ନ ୪ଟା ୫୦ମିନିଟରେ ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ବର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୁର୍ତ୍ତିକୁ ଉନ୍ମୋଚନ କରି ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ।

ଶେଷ ଦିନ ତଥା ଡିସେମ୍ବର ୭ ତାରିଖ ଶନିବାର ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁର ନିଜ ବାସଭବନରୁ ବାହାରି ଦଣ୍ଡବୋଷ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ଆସି ୧୦ଟା ୪୫ମିନିଟ ସମୟରେ ବାଙ୍ଗରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ହେଲିପ୍ୟାଡରୁ ପୁର୍ବାହ୍ନ ୧୧ଟା ସମୟରେ ବାହାରି ବାଙ୍ଗରିପୋଷୀ ରେଳଷ୍ଟେସନ ସ୍ଥିତ ସଭାସ୍ଥଳରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିବା ସହ, ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତିକରଣ, ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟା ୧୫ମିନିଟରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗ ସ୍ଥିତ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୁଆଦିଲ୍ଲୀକୁ ଯାତ୍ରା କରିବେ ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.