Latest Odisha News

BREAKING NEWS

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ ।

‘ଜୟନ୍ତୀ ରୋହି’ ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି ଠାରୁ ୪୦-୫୦% ଅଧିକ ବଢିଥାଏ । ଏହି ମାଛ ବିଭିନ୍ନ ରାଜ୍ୟରେ ଚାଷ କରାଯାଉଛି ଏବଂ ଚାଷୀଙ୍କୁ ଅଧିକ ଲାଭ ଦେଉଛି ।

ଏପରି ନାମ ପଛର କାରଣ ଆପଣ ଜାଣିଛନ୍ତି କି ? ଯେହେତୁ ୧୯୯୭ ମସିହା ଭାରତ ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଏହି ମାଛ ପ୍ରଥମ ଥର ପାଇଁ ବିକଶିତ ହୋଇଥିଲା ତେଣୁ ଏହାର ନାମ ‘ଜୟନ୍ତୀ ରୋହି’ ରଖାଯାଇଥିଲା ।

‘ଜୟନ୍ତୀ ରୋହି’ର ଯାଆଁଳ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ରେ ଉପଲବ୍ଧ । ଗତ ୧୦ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଯାଆଁଳ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି ।
ଉତ୍ପାଦନ ବୃଦ୍ଧି ପାଇଁ ଉପଯୁକ୍ତ ପୋଖରୀ ପରିଚାଳନା ଏବଂ ମାଛ ପାଇଁ ଉପଯୁକ୍ତ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ।

ଏହାକୁ ଦେଶର ବିହାର,ପଶ୍ଚିମବଙ୍ଗ,ଛତିଶଗଡ଼,ଝାଡ଼ଖଣ୍ଡ,ଆସାମ,ଆନ୍ଧ୍ରପ୍ରଦେଶ,ତାମିଲନାଡୁ ସମେତ ମୋଟ୍ ୧୬ଟି ରାଜ୍ୟକୁ ପଠାଯାଉଛି ।

‘ଜୟନ୍ତୀ ରୋହି’ର ଖାଦ୍ୟ

କାଣ୍ଡିଆ ଗୁଣ୍ଡ ୩୩%, ଶୁଖୁଆ ଗୁଣ୍ଡ ୫ ଭାଗ, ବାଦାମୀ ପିଡ଼ିଆ ୪୦ ଭାଗ, ଭିଟାମିନ୍ ମିନେରାଲ-୨%, ସୋୟାବିନ୍ ପିଡ଼ିଆ ୨୦% । ଏହା ମାଛ ଓଜନର ୨-୩% ହିସାବରେ ୨ ଥର ଦେବା ଉଚିତ । ପ୍ରତିଥର ଜାଲ ଟଣାଯାଇ ମତ୍ସ୍ୟ ରୋଗର ଲକ୍ଷଣ ଏବଂ ବୃଦ୍ଧିହାର ଦେଖିବା ଉଚିତ୍ । ଉପଯୁକ୍ତ ପୋଖରୀ ପରିଚାଳନା ଏକାନ୍ତ ଜରୁରି ।

କେଉଁଠି ମିଳିବ ଯାଆଁଳ

‘ଜୟନ୍ତୀ ରୋହି’ର ଗୁଣ୍ଡ ଯାଆଁଳ ସିଫାରେ ଉପଲବ୍ଧ । ଏହି ମାଛ ଚାଷର ପ୍ରଚାର ପ୍ରସାର ପାଇଁ ସିଫା ନିର୍ଦେଶକ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି ।

୧୦ବର୍ଷ ତଳୁ ଏହି ଯାଆଁଳ ଚାଷୀଙ୍କୁ ପ୍ରଦାନ କରାଯାଇ ଆସୁଛି। ୧ଲକ୍ଷ ଯାଆଁଳକୁ ୭୦୦ ଟଙ୍କାରେ ବିକ୍ରି କରାଯାଇଥାଏ ।

“ସିଫା’ରୁ ଯାଆଁଳ କିଣି ନେବାର ୧ମାସରୁ ୨ ମାସ ମଧ୍ୟରେ ତାକୁ ବଡ଼ କରି ବିକ୍ରି କରିଲେ ଅତି କମରେ ୨୦ରୁ ୩୦ହଜାର ଟଙ୍କା ଲାଭ ପାଇବେ । ମାତ୍ର ଏଥିପାଇଁ ସେମାନଙ୍କୁ ୨ ମାସ ପୂର୍ବରୁ ନିୟମ ମୁତାବକ ‘ସିଫା’କୁ ଚିଠି ଲେଖିବାକୁ ହେବ । ଯେହେତୁ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଯାଆଁଳ ଦିଆଯାଇଥାଏ। ସେଥିଲାଗି ଜୁନ୍ ମାସରୁ ଏଥିପାଇଁ ଆବେଦନ କରିବାକୁ ପଡେ ।

ଯାଆଁଳ ଗୁଡ଼ିକୁ ବଡ଼ ମାଛରେ ପରିଣତ ହେବାକୁ ପାଖାପାଖି ବର୍ଷେ ଲାଗିଥାଏ । ଆଉ ଏହା ସାଧାରଣ ରୋହିଠାରୁ ଅଧିକ ୨୫% ଲାଭ ଦେଇଥାଏ ବୋଲି ‘ସିଫା’ ବୈଜ୍ଞାନିକ କହିଛନ୍ତି।

Comments are closed.