ଭୁବନେଶ୍ବର: ବିଧାନସଭା ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍ନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଉପସ୍ଥାପନ ସମୟରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଥିଲେ। ଏହାରି ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଆସନ୍ତା ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।
ଆଜିର ଅଧିବେଶନରେ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ସୁଭଦ୍ରା ଯୋଜନା, ଛତୁଆ ଓ ଅବକାରୀ ବିଭାଗର ରାଜସ୍ବ ଇତ୍ୟାଦି ସାମିଲ ଥିଲା।
ସୁଭଦ୍ରା ଯୋଜନା ସଂପର୍କରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ପ୍ରଶ୍ନ କରିଥିଲେ। ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳା ଟଙ୍କା ପାଇ ସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି। ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି। ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି।
ସେହିପରି ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ଆସିଲା ପରେ ଭୁବନେଶ୍ଵର ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ଛତୁଆ ନମୁନା ପରୀକ୍ଷା ହୋଇଥିଲା। ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
Comments are closed.