ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଗାଡିରୁ ନଗଦ ଟଙ୍କା ଜବତ ଘଟଣାରେ ସିବିଆଇ ଆଜି ୩ ଜଣଙ୍କୁ ଗିରଫ କରିଛି। ଓଡି-୦୫-ବିଭି-୯୯୯୯ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ ଗାଡିରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇ ଅଧିକାରୀ। ଟଙ୍କା ଜବତ ପରେ ପଚରାଉଚରା ପାଇଁ କାରରେ ଥିବା ଲୋକଙ୍କୁ ଅଟକ ରଖିଥିଲା ସିବିଆଇ ଟିମ୍ । ତେବେ ଏହି ନଗଦ ଟଙ୍କା ଜବତ ମାମଲାରେ ସିବିଆଇ ରବିବାର ସ୍ପେସିଆଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, କଣ୍ଟ୍ରାକ୍ଟର ସନ୍ତୋଷ ମହାରାଣା ଏବଂ ବ୍ରିଜ ଏବଂ ରୂଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କୁ ଗିରଫ କରିଛି। ସୂଚାନୁସାରେ ଏହି ତିନିଜଣଙ୍କୁ ଟେଣ୍ଡର ଫିକ୍ସିଂ ଏବଂ ଅନିୟମିତତାରେ ସମ୍ପୃକ୍ତିରେ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି।
ସିବିଆଇ ଅନୁଯାୟୀ ମହାପାତ୍ରଙ୍କଠାରୁ ଲାଞ୍ଚ ବାବଦରେରେ ମୁଖାର୍ଜୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ମୁଖାର୍ଜୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଥିଲା ସିବିଆଇ।ଅଭିଯୁକ୍ତଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି।
ପରେ ଏହି ତିନି ଅଭିଯୁକ୍ତଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।
ସମ୍ପୃକ୍ତ ଘଟଣାରେ, କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଏବଂ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡରେ ଟେଣ୍ଡର ଫିକ୍ସିଂ ଏବଂ ଅନ୍ୟାନ୍ୟ ଅନିୟମିତତା ସଂପର୍କରେ ଦିଲ୍ଲୀ, କୋଲକାତା ଏବଂ ଭୁବନେଶ୍ୱର ସମେତ ଦେଶର ୧୧ ଟି ସ୍ଥାନରେ ସିବିଆଇ ଏକକାଳୀନ ଚଢ଼ାଉ କରିଥିଲା।
ସୂଚାନଯୋଗ୍ୟ ସିବିଆଇ ଦେବଦତ୍ତ ମହାପାତ୍ରଙ୍କ ବାସଭବନରେ ଚଢ଼ାଉ କରି ନଗଦ ଟଙ୍କା, ସୁନା ଏବଂ କିଛି ଅପରାଧିକ ଦସ୍ତାବିଜ ଜବତ କରିଛି। ତେବେ ଏନେଇ ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
Comments are closed.