ବେଙ୍ଗାଲୁରୁ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବେଙ୍ଗାଲୁରୁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ହାରିବା ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିବା ସହ ଭିଡିଓ ମଧ୍ଯ କରିଥିଲେ। ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ ମଧ୍ଯ କରିଥିଲେ।
ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତଦନ୍ତ ଘେରକୁ ଆସିଛନ୍ତି। ଏହି ମାମଲାରେ ବେଙ୍ଗାଲୁରୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାରି ମଧ୍ୟରେ ନିକିତା ସିଙ୍ଘାନିଆ ୨୦୨୨ ମସିହାରେ ଅତୁଲଙ୍କ ବିରୋଧରେ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିକିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଏବଂ ଶ୍ବଶୁର ଘର ଲୋକ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ଏପରିକି ସେମାନେ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ।
ନିକିତା ଆହୁରି ମଧ୍ଯ କହିଛନ୍ତି ଯେ “ଯେତେବେଳେ ମୁଁ ମୋର ପିତାମାତାଙ୍କୁ ନିର୍ଯ୍ୟାତନା ଏବଂ ଯୌତୁକ ଦାବି କଥା କହିଥିଲି ସେତେବେଳେ ସବୁକିଛି ଠିକ୍ ହୋଇଯିବ ବୋଲି ସେମାନେ ଆଶ୍ବାସନା ଦେଇଥିଲେ। କିନ୍ତୁ ମୋ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା।
“ମଦ ପିଇବା ପରେ ଅତୁଲ ମୋତେ ପଶୁ ପରି ମାଡ ମାରୁଥିଲେ। ସେ ମୋତେ ଧମକଚମକ ଦେଇ ମୋର ସମସ୍ତ ଦରମାକୁ ମୋ ଆକାଉଣ୍ଟରୁ ଟ୍ରାନ୍ସଫର କରି ନେଇଯାଉଥିଲେ। ଏଭଳି ମାନସିକ ଚାପ ଯୋଗୁଁ ହଠାତ୍ ମୋ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଯାହାପରେ ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ନିକିତା କହିଛନ୍ତି।”