ଭୁବନେଶ୍ୱର; ଟେଣ୍ଡର୍ ଫିକ୍ସିଂ ମାମଲାରେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ l ସେପଟେ ସିବିଆଇରେ ହାଜର ହେବ ପୂର୍ବରୁ ଆସିଛି ଆଉ ଏକ ବଡ ଖବର l ୩ ଦିନ ଧରି ଦିଲ୍ଲୀରେ ଥିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ l ସିବିଆଇର ସମନ ସମୟରେ ବିଷ୍ଣୁପଦ ଦିଲ୍ଲୀରେ ରହିଥିବା ନେଇ ସୂଚନା ମିଳିଛି l ୧୧ରୁ ୧୩ ତାରିଖ ଯାଏଁ ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ ବିଷ୍ଣୁପଦ l ଗତ ୧୧ ତାରିଖ ଦିନ ୧୦ଟାରେ ହାଜର ପାଇଁ ସିବିଆଇ ସମନ ପଠାଇଥିବା ସତ୍ତ୍ୱେ ମଧ୍ୟ ହଜାର ହୋଇନଥିଲେ ବିଷ୍ଣୁପଦ l
ସେପଟେ ପୁଣିଥରେ ବିଷ୍ଣୁପାଦଙ୍କ ସିବିଆଇ ସମନ ପଠାଇବା ସହ ଗତକାଲି ତାଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଛନ୍ତି । ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି ଦେଇଛନ୍ତି ରାଜ୍ୟ ସରକାର । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ବିଷ୍ଣୁପଦ ଥିଲେ ପ୍ରମୁଖ ଶାସନ ସଚିବ। ସେହିପରି ଏସସି ଓ ଏସଟି ବିଭାଗ ସଚିବ ଦାୟିତ୍ବରୁ ମଧ୍ୟ ତାଙ୍କୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ବ ଦିଆଯାଇଛି ।
ସୂଚନାଯୋଗ୍ୟ, ଟେଣ୍ଡର ଫିକ୍ସିଂ ମାମଲାରେ ବିବାଦରେ ଛନ୍ଦି ହୋଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ l ପୂର୍ବରୁ ତାଙ୍କୁ ସିବିଆଇ ସମନ ଜାରି କରିଥିବା ବେଳେ ସେ ହଜାର ହୋଇନଥିଲେ l ତେବେ ଆଜି ସିବିଆଇରେ ହାଜର ହେବାକୁ ପୁଣିଥରେ ବିଷ୍ଣୁପଦଙ୍କୁ ସମନ ମିଳିଛି । ଅନ୍ୟପଟେ ଦୀର୍ଘ ସାଢେ଼ ୬ ଘଣ୍ଟାର ମାରାଥନ୍ ଜେରା ପରେ ସିବିଆଇ କାର୍ୟ୍ୟାଳୟରୁ ବାହାରିଛନ୍ତି ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜେନେରାଲ ମ୍ୟାନେଜର ବି କେ ସିଂ ଏବଂ ଆକାଉଣ୍ଟଟାଣ୍ଟ l ତେବେ କମ୍ପାନୀର ଆର୍ଥିକ କାରବାର ସମ୍ବନ୍ଧରେ ବିଭିନ୍ନ ଦିଗରୁ ପଚରାଉଚୁରା କରିବା ସହ ଟେଣ୍ଡର ସମ୍ପର୍କିତ କାଗଜ ପତ୍ର ମଧ୍ୟ ଯାଞ୍ଚ କରିଥିଲା ସିବିଆଇ l