Latest Odisha News

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆଉ ୩ ଏତଲାକାରୀ ଓହରିଲେ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରୁ ଓହରିଲେ ୩ ଜଣ ଏତଲାକାରୀ । ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ତିନି ଜଣ କହିଛନ୍ତି ।

ପୂର୍ବରୁ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ଯେ, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇ ନାହିଁ । ପୂର୍ବରୁ ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ଏତଲା ଦେଇଥିଲେ । ତେବେ ଏହି ମାମଲାରୁ ଏବେ ସମୁଦାୟ ୫ ଅଭିଯୋଗକାରୀ ଓହରି ଯାଇଛନ୍ତି ।

ବୁଧବାର ଏହି ମାମଲାର ବିଚାର ସମୟରେ ବୟାନରେ ଆଇଜି ସେମାନଙ୍କୁ ପୋଲିସ ଭୟ ଦେଖାଇ ଏତଲା ଦେବାକୁ ବାଧ୍ୟ କରିଥିଲେ ବୋଲି କୋର୍ଟରେ ପ୍ରଦୀପଙ୍କ ଓକିଲ କହିଛନ୍ତି । ସେପଟେ ଏ ସମ୍ପର୍କରେ ପଚାରିବାରୁ କୋର୍ଟରେ ମାମଲା ଚାଲିଛି ଏବାବଦରେ କିଛି କହିବା ଠିକ୍ ହେବ ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ସୂଚନା ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଆକାଶ ପାଠକ (ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ଏମାନଙ୍କୁ ଗିରଫ ମଧ୍ୟ କରିଥିଲା ।

Comments are closed.