ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ସ୍ଥିତ ରୋ ଘରେ ଶନିବାର ଦିନ ହୋଇଥିବା ପାର୍ସଲ ବିସ୍ଫୋରଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ତାଙ୍କ ପତ୍ନୀଙ୍କ ବନ୍ଧୁ ଓ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେବାକୁ ଏହି ବିସ୍ଫୋରଣର ଯୋଜନା କରିଥିଲେ।
ପୋଲିସର ସୁଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ରୁପେନ୍ ରାଓ ଏବଂ ରାଖୀ ତଥା ରୋହନ ରାୱଲଙ୍କୁ ଗିରଫ କରାଯାଇଛି। ତେବେ ଶନିବାର ଦିନ ପ୍ରଥମେ ପାର୍ସଲ ପହଞ୍ଚାଇଥିବା ଗୌରବ ଗଢୱିଙ୍କୁ ଗିରଫ କରାଯାଇଛି। ପାର୍ସଲ ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସର କହିବା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ୪୪ ବର୍ଷିୟ ରୁପେନ ରାଓ ଏହି ବିସ୍ଫୋରଣ ପାଇଁ ତିନିରୁ ଚାରି ମାସ ପୂର୍ବରୁ ଇଣ୍ଟରନେଟରେ ବୋମା ଓ ଅସ୍ତ୍ରଶସ୍ତ୍ର ତିଆରି ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। ତାଙ୍କ ଶଶୁର ଘର ଲୋକଙ୍କ ବ୍ୟତୀତ ବିଶେଷ କରି ତାଙ୍କ ପତ୍ନୀଙ୍କ ବନ୍ଧୁ ବଲଦେବ ସୁଖଡିଆ, ଶ୍ୱଶୁର ଏବଂ ଶଳାଠାରୁ ପ୍ରତିଶୋଧ ନେବା ତାଙ୍କର ଉଦ୍ଦେଶ୍ଯ ଥିଲା।
ପଚରାଉଚରା ବେଳେ ରାଓ କହିଛନ୍ତି ଯେ ସୁଖଡିଆ ପାଇଁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ଭରିଯାଇଥିଲା ଏବଂ ଫଳରେ ସେ ପିଲାମାନଙ୍କଠାରୁ ଅଲଗା ହୋଇଯାଇଥିଲେ। ତେବେ ଦୁହିଁଙ୍କ ଛାଡପତ୍ର ମାମଲା କୋର୍ଟରେ ଚାଲିଛି।
ଯୋଜନା ମୁତାବକ ଶନିବାର ସକାଳ ପ୍ରାୟ ୧୦.୪୫ ମି. ସମୟରେ ଏହି ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଦୁଇ ଜଣ ଆହତ ହୋଇଥିଲେ। ଏହାପରେ ପୋଲିସ ତଦନ୍ତ କରିବା ସହ ଘଟଣାସ୍ଥଳରୁ ଗୌରବ ଗଢୱିଙ୍କୁ ଗିରଫ କରିଥିଲା। ଏହା ପରେ ପୋଲିସ ରାଓ ଏବଂ ତାଙ୍କ ସହଯୋଗୀ ରୋହନ ରାୱଲଙ୍କୁ ଶନିବାର ରାତିରେ ଗିରଫ କରିଥିଲା।
Comments are closed.