ଭୁବନେଶ୍ୱର: ଭାରତର ତିନୋଟି ସହରରେ ଚୀନ୍ ର ଏଚଏମପିଭି ଭାଇରସ୍ ର ଚାରୋଟି ମାମଲା ଚିହ୍ନଟ ହେବାପରେ, ଏହା ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, ଏଚଏମପିଭି ଭାଇରସ୍ ଏପର୍ଯ୍ୟନ୍ତ ଓଡ଼ିଶାରେ ଚିହ୍ନଟ ହୋଇନି । ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପରୀକ୍ଷା ପାଇଁ ପ୍ରସ୍ତୁତ ରଖାଯାଇଛି ।
ନୀଳକଣ୍ଠ ମିଶ୍ର ଆହୁରି କହିଛନ୍ତି ଯେ, ଚୀନରୁ ହ୍ୟୁମାନ ମେଟାନିମୋ ଭାଇରସ ନେଇ ଆସୁଥିବା ଖବରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏପର୍ଯ୍ୟନ୍ତ କୌଣସି ପୁଷ୍ଟି କରିନାହିଁ । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି ।
ତେବେ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ଠାରେ ଏହି ଭାଇରସ ଅଧିକ ମାତ୍ରାରେ ଦେଖାଦିଏ । ସାଧାରଣ ଲୋକେ ସତର୍କ ରୁହନ୍ତୁ । ଥଣ୍ଡାକାଶ ହେଲେ ପରୀକ୍ଷା କରାଇ ନିଅନ୍ତୁ । ଯାହାକୁ ଥଣ୍ଡା ହୋଇଛି ତାଙ୍କ ସଂସ୍ପର୍ଶରେ କେହି ଆସନ୍ତୁ ନାହିଁ ବୋଲି ଡାକ୍ତର ମିଶ୍ର କହିଛନ୍ତି ।
ଅନ୍ୟପକ୍ଷରେ, ଏହି ଏଚଏମପିଭି ଭାଇରସ୍ ପୁରୁଣା, ଏହା ଏବେ ନୂଆ ରୂପରେ ଆସିଛି ଏବଂ କୋଭିଡଠାରୁ ଅଧିକ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା କହିଛନ୍ତି । ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର ରୋଗୀ, ଆସ୍ଥମା ଓ ହୃଦରୋଗରେ ପୀଡ଼ିତ ବ୍ୟକ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ବେଶି ଆଶଙ୍କା ଥାଏ ।
ଥଣ୍ଡା, କାଶ, କଫ, ଛାତି ଦରଜ, ନିଃଶ୍ୱାସ ନେବାରେ ସମସ୍ୟା ଅନୁଭୂତ ହେଲେ ଏହି ଭାଇରସର ପରୀକ୍ଷା କରାଇ ନେବା ଉଚିତ୍ । ବିଶେଷକରି ଏହି ଭାଇରସ୍ ସଂକ୍ରମିତ ହେଲେ ଶ୍ୱାସନଳୀରେ ସମସ୍ୟା ଦେଖାଦେଇଥାଏ ।
ସୂଟନାଯୋଗ୍ୟ, ୨୦୦୧ ମସିହାରୁ ଏହି ଭାଇରସ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା ଏବଂ ବିଭିନ୍ନ ସମୟରେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି ।
Comments are closed.