ରାଞ୍ଚି: ପୁଣି ଥରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଲେ । ସେ ଶୁକ୍ରବାର ରାଞ୍ଚିରେ ହଜାର ହଜାର ସମର୍ଥକ ଏବଂ ଦଳର ରାଜ୍ୟ ୟୁନିଟର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ଦଳରେ ପୁଣି ଥରେ ଯୋଗଦେବା ପରେ ସେ କହିଛନ୍ତି ଯେ, ‘ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଭାବରେ ଏକ ନୂତନ ଆରମ୍ଭ କରି ମୋତେ ଲାଗୁଛି ଯେପରି ମୁଁ ମୋ ମାଆଙ୍କ କୋଳର ଛାଇ ତଳକୁ ଫେରି ଆସିଛି । ଯଦି ରାଜ୍ୟପାଳ ହେବା ମର୍ଯ୍ୟାଦାର ବିଷୟ, ତେବେ ବିଜେପି ଭଳି ଦଳର ସଂଗଠନର ଦାସ ହେବା ଗର୍ବର ବିଷୟ । ମୁଁ ଜଣେ ସେବକ ଭାବରେ ଦଳରେ ଯୋଗ ଦେଇଛି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହାର ସେବା କରିବି’।
ସୂଚନାଯୋଗ୍ୟ, ୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ । ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।