Latest Odisha News

ଶିକ୍ଷକ ନାଁରେ କଳଙ୍କ: ବିନା ସାର୍ଟରେ ଛାତ୍ରୀଙ୍କୁ ଘରକୁ ପଠାଇଲେ ସ୍କୁଲ ପ୍ରିନ୍ସିପାଲ

ରାଞ୍ଚି: ଶିକ୍ଷକ ନାଁରେ କଳଙ୍କ । ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ । ସାର୍ଟରେ ଲେଖିବାରୁ ବିନା ସାର୍ଟରେ ଛାତ୍ରୀଙ୍କୁ ଘରକୁ ପଠାଇଲେ ସ୍କୁଲ ପ୍ରିନ୍ସିପାଲ । ଜଣେ କି ଦୁଇ ଜଣ ନୁହେଁ, ପୁରା ୮୦ ଜଣ ଛାତ୍ରୀଙ୍କୁ ଏପରି ଘରକୁ ପଠାଇଛନ୍ତି ସ୍କୁଲ ପ୍ରିନ୍ସିପାଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡ ଧାନବାଦର ଦିଗବାଡିହରେ । ଏକ ଘରୋଇ ସ୍କୁଲ୍‌ ପ୍ରିନ୍ସପାଲ ଦଶମ ଶ୍ରେଣୀର ୮୦ ଜଣ ଛାତ୍ରୀଙ୍କୁ ବିନା ସାର୍ଟରେ ଘରକୁ ପଠାଇବା ଘଟଣା ଏବେ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଏତଲା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ।

ସୂଚନା ଅନୁସାରେ, ସମସ୍ତ ଛାତ୍ରୀମାନେ ଦଶମ ଶ୍ରେଣୀର ହୋଇଥିବା ବେଳେ ଗତକାଲି ସେମାନଙ୍କର ଶେଷ ପରୀକ୍ଷା ଥିଲା । ପରୀକ୍ଷା ପରେ ଛାତ୍ରୀମା‌ନେ ପରସ୍ପରର ପୋଷାକରେ ବିଦାୟୀ ବାର୍ତ୍ତା ଲେଖିଥିଲେ।  କିନ୍ତୁ ଏଥିରେ ରାଗି ଯାଇଥିଲେ ସ୍କୁଲ୍‌ ପ୍ରିନ୍ସପାଲ୍‌ । ଛାତ୍ରୀମାନଙ୍କୁ ଶାସ୍ତି ଦେବାପାଇଁ ସେମାନଙ୍କୁ ତାଙ୍କ ସା‌ର୍ଟ କାଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରୀମାନେ ଅନେକ ଗୁହାରି କରିବା ସତ୍ତ୍ଵେ ମଧ୍ୟ ଶୁଣିନଥିଲେ ସ୍କୁଲ ପ୍ରିନ୍ସିପାଲ । ଶେଷରେ ବିନା ସାର୍ଟରେ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରିନ୍ସିପାଲ । ଘରକୁ ଯିବା ପରେ ଅଭିଭାବକମାନଙ୍କୁ ଏନେଇ ସବୁ କଥା କହିଥିଲେ ଛାତ୍ରୀମାନେ । ସବୁ ଜାଣିବା ପରେ ଅଭିଭାବକମାନେ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଅଭିଭାବକମାନେ ଡେପୁଟି କମିଶନରଙ୍କ ନିକଟକୁ ଯାଇ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଝାରିଆ ବିଧାୟକ ରାଗିଣୀ ସିଂହ। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି ବୋଲି କହିଛନ୍ତି ଧାନବାଦ ଡିସି ମାଧବୀ ମିଶ୍ର । ଅନ୍ୟପଟେ ଜଣେ ଛାତ୍ରୀଙ୍କର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ତାଙ୍କ ସହ ହୋଇଥିବା ବ୍ୟବହାରକୁ ବଖାଣିଛନ୍ତି ।

Leave A Reply

Your email address will not be published.