ଗାଜା: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ମଧ୍ଯରେ ଆସିଛି ବଡ଼ ଖବର। ଗାଜାରେ ହମାସ ସହିତ ସଂଘର୍ଷ ବନ୍ଦ କରିବା ପାଇଁ ୭୦୦ରୁ ଅଧିକ ପାଲେଷ୍ଟାଇନ ବନ୍ଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ଯେଉଁମାନଙ୍କୁ ଚୁକ୍ତି ଅନୁଯାୟୀ ରିଲିଜ କରାଯିବ ବୋଲି ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି।
ଯୁଦ୍ଧବିରତି ଚୁକ୍ତିନାମାକୁ ଅନୁମୋଦନ ମିଳିବାର କିଛି ଘଣ୍ଟା ପରେ ଏହି ତାଲିକା ପ୍ରକାଶ କରାଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ରବିବାର ସମୟ ଅପରାହ୍ନ ୪ଟା ପୂର୍ବରୁ କଏଦୀମାନଙ୍କୁ ମୁକ୍ତ କରାଯିବ ନାହିଁ। ଏହି ତାଲିକାରେ ହମାସ ଏବଂ ଇସଲାମୀ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଆଜୀବନ କାରାଦଣ୍ଡରେ ଦଣ୍ଡିତ ଥିବାବେଳେ ଅନ୍ୟ କିଛି ହତ୍ୟା ଭଳି ସଙ୍ଗୀନ ଅପରାଧରେ ଦୋଷୀ ଅଟନ୍ତି।
ଇସ୍ରାଏଲ ଯେଉଁମାନଙ୍କୁ ବନ୍ଦୀ ବନାଇଥିଲା ସେମାନଙ୍କ ମଧ୍ୟରୁ ମାରୱାନ ବରଗୌତି ସବୁଠାରୁ ପ୍ରମୁଖ ବନ୍ଦୀ ଥିଲେ। କିନ୍ତୁ ମୁକ୍ତ ହେବାକୁ ଥିବା ୭୦୦ ପାଲେଷ୍ଟାଇନ ବନ୍ଧକ ମାନଙ୍କ ତାଲିକାରେ ତାଙ୍କର ନାମ ନାହିଁ। ଆଗାମୀ ବର୍ଷର ରାଷ୍ଟ୍ରପତି ପଦ ପାଇଁ ଅନେକ ପାଲେଷ୍ଟାଇନ ନାଗରିକ ବରଗୌତିଙ୍କୁ ଜଣେ ପ୍ରମୁଖ ପ୍ରାର୍ଥୀ ଭାବରେ ଭାବିନେଇଛନ୍ତି। ୨୦୦୦ ମସିହାର ପ୍ରାରମ୍ଭରେ ଦ୍ୱିତୀୟ ପାଲେଷ୍ଟାଇନ ବିଦ୍ରୋହ ସମୟରେ ବରଗୌତି ପଶ୍ଚିମ ତଟର ଜଣେ ନେତା ଥିଲେ। ତେବେ ଯେକୌଣସି ଅସ୍ତ୍ରବିରତି ଚୁକ୍ତିନାମା ବଦଳରେ ଇସ୍ରାଏଲ ତାଙ୍କୁ ମୁକ୍ତ କରୁ ବୋଲି ହମାସ ଦାବି କରିଛି କିନ୍ତୁ ଇସ୍ରାଏଲୀ ଅଧିକାରୀମାନେ ଏହାକୁ ରୋକଠୋକ ମନା କରିଦେଇଥିଲେ।
Comments are closed.