Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୋଷ୍ଟାଲ୍-ହାଇୱେ ଯୋଜନାକୁ ଓଡିଶା ସରକାରଙ୍କ ସବୁଜ ସଙ୍କେତ

ଭୁବନେଶ୍ୱର: ଓଡିଶା ଉପକୂଳରେ କୋଷ୍ଟାଲ୍-ହାଇୱେ ନିର୍ମାଣ କରିବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ପରିଶେଷରେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ଅତିରିକ୍ତ ସଚିବ ଆରକେ ଆଚାର୍ଯ୍ୟ ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ)ର ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ପତ୍ର ଲେଖି ସୂଚନା ଦେଇଛନ୍ତି । ରାସ୍ତା ନିର୍ମାଣ ଲାଗି ଆବଶ୍ୟକୀୟ ଅନୁମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବେଦନ କରିବାକୁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ।

ଉକ୍ତ ପ୍ରସ୍ତାବ ଅନୁଯାୟୀ ୪୫୧ କିଲୋମିଟର ଲମ୍ବା କୋଷ୍ଟାଲ୍ ହାଇୱେ ନିର୍ମାଣ କରାଯିବ ଏବଂ ଏହାକୁ ୫୧୬-ଏ ଜାତୀୟ ରାଜପଥ ଭାବେ ନାମିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୋପାଳପୁରରୁ ରତନପୁର ଯାଏଁ ୨୪୦ କିମି. ଦୀର୍ଘ ରାସ୍ତା ନିର୍ମାଣ କରାଯିବ ଏବଂ ଯେଉଁଥିପାଇଁ ପାଖାପାଖି ୨୧୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯିବ ।

ଉଲ୍ଲେଖନୀୟ ଯେ, ଗତ ୧୫ ତାରିଖ ଦିନ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଉତ୍ସୁକତା ପ୍ରକାଶ କରିଥିବା ନେଇ ଦର୍ଶଯାଇଥିଲା ।

ଆହୁରି ମଧ୍ୟ ପୁରୀ-କୋଣାର୍କ-ଅସ୍ତରଙ୍ଗ-ରତନପୁର-ଧାମରା-ବାସୁଦେବପୁର-ଚାନ୍ଦିପୁର ରାସ୍ତା ଦେଇ ସାତପଡାରୁ ଦୀଘା ଯାଏଁ ଲମ୍ବିବା ନେଇ ରାଜ୍ୟ ସରକାର ସହମତ ଏବଂ ଏନଏଚଏଆଇ ଉଚିତ୍ ମଞ୍ଜୁରୀ ପ୍ରାପ୍ତ କରିବା ଲାଗି ଆଗକୁ ବଢିପାରେ ବୋଲି ସୂଚନା ମିଳିଛି ।

ଅନ୍ୟ ଏକ ବୈଠକରେ ଗୋପାଳପୁରରୁ ସାତପଡା ଯାଏଁ ଚିଲିକା ହ୍ରଦ ଦେଇ ରାସ୍ତା ଲମ୍ବିବା ଉପରେ ସମୀକ୍ଷା କରାଯିବା ସହ ନିଷ୍ପତ୍ତି ଗ୍ରହଣ କରାଯିବ ।

ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଏନଏଚଏଆଇକୁ ଆଶ୍ୱାସନା ଦେଇଛନ୍ତି ।

Leave A Reply

Your email address will not be published.