Latest Odisha News

BREAKING NEWS

ଆଜିବି ରେଡିଓକୁ ପସନ୍ଦ କରୁଛନ୍ତି ଲୋକେ…

ଭୁବନେଶ୍ଵର: ଆଜି ରେଡିଓ ଦିବସ  । ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତା ପାଇଁ କୋଟି କୋଟି ଲୋକଙ୍କ ପସନ୍ଦ ହୋଇଛି ରେଡିଓ ।  ଶ୍ରୋତାଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହିଛି ରେଡିଓ ।  ରେଡିଓ ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଜଣେ ଶ୍ରୋତା ପହଞ୍ଚେ  ଭିନ୍ନ ଦୁନିଆରେ, ଯେଉଁଠି ଥାଏ ତାଜା ଖବରଠାରୁ ଆରମ୍ଭ କରି ମନୋରଞ୍ଜନ, ସର୍ବୋପରି ସଚେତନତା ଭଳି ବହୁବିଧ କାର୍ଯ୍ୟକ୍ରମ। ଏକବିଂଶ ଶତାବ୍ଦୀରେ ରେଡିଓର ବ୍ୟବସାୟୀକରଣ ହୋଇଛି। କମ୍ୟୁନିଟି ରେଡିଓ ସହ ଏଫ୍‌ଏମ୍‌ର ଚାହିଦା ବଢ଼ିଛି। ଆଞ୍ଚଳିକସ୍ତରରେ ଶ୍ରୋତାଙ୍କ ହୃଦୟ ଜିଣିବାକୁ ବେସରକାରୀ କମ୍ପାନୀଗୁଡିକ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା। ଫଳରେ ଏହାର ଫାଇଦା ମିଳିଛି ସାମାଜିକ ବ୍ୟବସ୍ଥାକୁ। ବିଶେଷ କରି କରୋନା ମହାମାରୀ ଭଳି ସମୟରେ ଜନସଚେତନତା ପାଇଁ ସାଧନ ଆବଶ୍ୟକ ପଡୁଥିବାବେଳେ ରେଡିଓ ଅନ୍ୟତମ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଭାବେ ଲୋକମାନଙ୍କର ଆହୁରି ନିକଟତର ହୋଇପାରିଛି।

ସ୍ମାର୍ଟ ଫୋନ୍‌ ଓ ଅତ୍ୟାଧୁନିକ ମନୋରଞ୍ଜନର ସାଧନ ସବୁ ଉଦ୍ଭାବନ ହେବା ପରେ ଅନେକ ସମୟରେ ମନେ ହେଉଥିଲା ମାର୍କୋନି ଉଦ୍ଦ୍‌ଭାବନ କରିଥିବା ବେତାର ଯନ୍ତ୍ର(ରେଡ଼ିଓ)ର ସତ୍ତା ହଜିଯାଉଛି । ରେଡିଓ ସ୍ଥାନ ସ୍ମାର୍ଟଫୋନ୍‌, ମୋବାଇଲ ଓ ଆଣ୍ଡ୍ରଏଡ ଟିଭି ଭିତରେ ହଜିଯିବ ବୋଲି ଲାଗୁଥିଲା । ଆଗାମୀ ପିଢ଼ି କେବଳ ଇତିହାସ ବହିରୁ ବା କେଉଁ ସଂଗ୍ରହାଳୟରୁ ଭଙ୍ଗା ରେଡିଓର ଛବି ଦେଖି ପରିକଳ୍ପନା କରିବେ । କିନ୍ତୁ ସେମିତି ହୋଇନି, ଭାଙ୍ଗିରୁଜି ଯାଉଥିବା ରେଡିଓ କଡ଼ ଲେଉଟାଇ ଉଠିଲାଣି । ନୂଆରୂପରେ ଭଭା ହେଲାଣି ରେଡ଼ିଓ । ନିଜର ବାର୍ତ୍ତା ଦେଶବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହାରା ନେଇଉନ୍ତି ‘ରେଡିଓ’ର । ନିଜର ବାର୍ତ୍ତା ଦେଶବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ‘ମନ କି ବାତ୍‌’ ବା ମନର କଥା ରେଡିଓ ମାଧ୍ୟମରେ କୋଟି କୋଟି ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି । ଭାରତବର୍ଷରେ ଏବେ ଏଫଏମ୍‌ ନା’ରେ ଶହ ଶହ ଘରୋଇ ରେଡିଓ ସେଣ୍ଟର ୨୪ଘଣ୍ଟା ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଯୋଗିତା କଲେଣି ।

ସବୁଥର ପରି ଏଥର ମଧ୍ୟ ଆଉଟରିଚ୍‌ ପକ୍ଷରୁ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆରମ୍ଭ ହୋଇଛି ଦୁଇଦିନିଆ ‘ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳା’ । ରହିଛି ଅନେକ ରେଡିଓ । ପ୍ରସାରଣ କ୍ଷେତ୍ରରେ  ଉତ୍କର୍ଷତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଏଥିରେ ସମ୍ମାନିତ କରାଯିବ । ଏଥର ମେଳାରେ  ୩ ହଜାରରୁ ଅଧିକ ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହୋମ୍‌ ରେଡ଼ିଓ ଓ  ଗ୍ରାମଫୋନ ପ୍ରଦର୍ଶନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ହାମ୍‌ ରେଡ଼ିଓ ଏହି ମେଳାରେ ଯୋଗ ଦେଇଛନ୍ତି । ଏହାଛଡ଼ା ରାଜ୍ୟର ଅନେକ କମ୍ୟୁନିଟି ରେଡିଓ ଷ୍ଟେସନ ମଧ୍ୟ ଏହି ମେଳାରେ ସାମିଲ ହୋଇଛନ୍ତି । ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କ  ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ନୃତ୍ୟ, ଗୀତ ଓ ଚିତ୍ରାଙ୍କନ,  ରିପୋର୍ଟ ରାଇଟିଙ୍ଗ ସହ ତର୍କ ପ୍ରତିଯୋଗିତାରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ୧୪ ତାରିଖରେ ପୁରସ୍କୃତ କରାଯିବ । ତେବେ ଚଳିତ ବର୍ଷ ରେଡ଼ିଓ ମେଳାରେ ନେପାଳ କମ୍ୟୁନିଟି ରେଡ଼ିଓ ପ୍ରସାରକ ସଙ୍ଘର ସଭାପତି ଅର୍ଜୁନ ଗିରି ଯୋଗ ଦେବାନେଇ ସୂଚନା ମିଳିଛି ।

Comments are closed.