Latest Odisha News

BREAKING NEWS

ଶିଖ୍ ବିରୋଧି ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ ଦଣ୍ଡ । ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି ଦିଲ୍ଲୀ କୋର୍ଟ ।

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା, ବିଶେଷକରି ସରସ୍ୱତୀ ବିହାର ହିଂସା ମାମଲାରେ ସଜ୍ଜନଙ୍କ ଭୂମିକା ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଦଙ୍ଗା ମାମଲାରେ ସମ୍ପୃକ୍ତି ପାଇଁ ପୂର୍ବରୁ ହିଁ ସଜ୍ଜନ ଆଜୀବନ ସଜା କାଟୁଥିବା ବେଳେ ଏବେ ସଜ୍ଜନଙ୍କୁ ଦ୍ୱିତୀୟ ଆଜୀବନ କାରାଦଣ୍ଡ ଦେଇଛନ୍ତି କୋର୍ଟ ।

ତେବେ ଏହି ଶୁଣାଣି ବେଳେ ଦିଲ୍ଲୀ ପୋଲିସ ଏବଂ ପୀଡିତମାନେ  ଏହି ମାମଲାକୁ ବିରଳରୁ ବିରଳ କେସ୍ ବୋଲି ଦର୍ଶାଇବା ପାଇଁ କୋର୍ଟକୁ ଅନୁରୋଧ କରିବା ସହିତ ପୂର୍ବତନ ସାଂସଦଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ । ଯାହାର ଲିଖିତ ଦାଖଲରେ, ପୋଲିସ ଯୁକ୍ତି ଦର୍ଶାଇଥିଲା ଯେ ଏହି ମାମଲା ନିର୍ଭୟା ଘଟଣା  ଠାରୁ ବି ଆହୁରି ଭୟଙ୍କର ଥିଲା, କାରଣ ଏଥିରେ ଜଣେ ବ୍ୟକ୍ତି ଅପେକ୍ଷା ସମଗ୍ର ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଥିଲା ।

ଜାଣନ୍ତୁ କ’ଣ ଥିଲା ପୂରା ଘଟଣା?……

୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ହୋଇଥିବା ଏମରଜେନ୍ସି ସମୟରେ ଅନେକ ଶିଖମାନଙ୍କୁ ବନ୍ଦି କରାଯାଇଥିଲା । ଏହାପରେ ୩୧ ଅକ୍ଟୋବର ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦୁଇ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଶିଖ୍ ବିରୋଧି ଦଙ୍ଗା ଦେଖିବାକୁ ମିଳିଥିଲା । ଆକ୍ରୋଶମୂଳକ ଭାବେ ଲୋକମାନେ ଶିଖ ଲୋକମାନଙ୍କ ଉପରେ ଆକ୍ରମଣ କରିବା ସହ ଘରଦ୍ୱାର ଭଙ୍ଗାରୁଜା ଓ ଜଳାପୋଡା କରିଥିଲେ । ସରକାରୀ ସୁତ୍ର ଅନୁଯାୟୀ, ଏଥିରେ ୩,୩୫୦ରୁ ଊର୍ଦ୍ଧ୍ୱ ଶିଖଙ୍କୁ ହତ୍ୟା କରାଯାଇଥିଲା ।

ସରସ୍ବତୀ ବିହାର ମାମଲାର ଦୋଷୀ ସଜ୍ଜନ: ୧୯୮୪ ମସିହା ନଭେମ୍ବର ୧ରେ ସରସ୍ୱତୀ ବିହାରରେ ଜଶଓ୍ବନ୍ତ ସିଂହ ଓ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ, ତାଙ୍କର ସମର୍ଥକ ଯେଉଁମାନେ ମାରଣାସ୍ତ୍ର ଧରି, ଶିଖ୍ ସମ୍ପ୍ରଦାୟ ରହୁଥିବା, ସରସ୍ୱତୀ ବିହାରରେ ପଶି, ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପ୍ରତିଶୋଧ ନେଇଥିଲେ । ସେମାନେ ଲୁଟପାଟ, ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ । ଶିଖଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଜଶବନ୍ତଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା । ଜଶବନ୍ତଙ୍କ ପୁଅକୁ ହତ୍ୟା କରିଥିଲେ । ଲୁଟପାଟ ପରେ ଘରେ ନିଆଁ ଲଗାଇ ଦେଇଥିଲେ ।

ପଞ୍ଜାବର ଏକ ପୋଲିସ ଷ୍ଟେସନରେ ସଜ୍ଜନ କୁମାରଙ୍କ ବିରୋଧରେ ଏହି ଘଟଣାରେ ମାମଲା ଦାୟର କରାଯାଇଥିଲା । ଅଭିଯୋଗକାରୀଙ୍କ ଅନୁଯାୟୀ, ସଜ୍ଜନ କୁମାର ଦଙ୍ଗାକୁ ଉସକାଇଥିଲେ ଏବଂ ଘର ଉପରେ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଥିଲେ । ଏହା ପରେ ଉତ୍ୟକ୍ତ ଲୋକମାନେ ମୃତକଙ୍କ ଘର ଭାଙ୍ଗି, ଲୁଟପାଟ କରି ସେମାନଙ୍କୁ ହତ୍ୟା କରିଥିଲେ ।

୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗାର ତଦନ୍ତ କରୁଥିବା ରଙ୍ଗନାଥ ମିଶ୍ର କମିଶନଙ୍କ ଅଭିଯୋଗ ପରେ ନୂଆଦିଲ୍ଲୀର ସରସ୍ୱତୀ ବିହାର ପୋଲିସ ଷ୍ଟେସନରେ ଆଇପିସି ଧାରା ୧୪୭, ୧୪୮, ୧୪୯, ୩୯୫, ୩୯୭, ୩୦୨, ୩୦୭, ୪୩୬ ଏବଂ ୪୪୦ ଅନୁଯାୟୀ, ସଜ୍ଜନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା । ୨୦୨୧ ଡିସେମ୍ବର ୧୬ରେ ପୋଲିସ ତଦନ୍ତକୁ ଆଧାର କରି, କୋର୍ଟ ସଜ୍ଜନଙ୍କୁ ଅଭିଯୁକ୍ତ ବୋଲି ଘୋଷଣା କରିଥିଲେ । ପରେ ଏହି ନିକଟରେ, ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ସଜ୍ଜନ କୁମାରଙ୍କୁ ଫେବୃଆରୀ ୧୨ ତାରିଖ ୨୦୨୫ରେ ଦୋଷୀ ସାବ୍ୟସ୍ତ କରିଥିଲେ ।

Comments are closed.