ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଦ୍ୱିତୀୟ ବର୍ଷ ବି.ଟେକ୍ର ୨ ଛାତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ ‘ଲିପଷ୍ଟିକ୍ ଗନ୍’ ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ଡିଭାଇସ୍ ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ ସ୍ୱରକୁ ଚିହ୍ନଟ କରୁ ପୋଲିସ ଏବଂ ପରିବାରକୁ ତୁରନ୍ତ କଲ୍ ଏବଂ ସ୍ଥାନ ପଠାଇପାରିବ। ଦେଶ ଏବଂ ବିଶ୍ୱରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ହିଂସାତ୍ମକ ଘଟଣାକୁ ଦୃଷ୍ଟିରେ ରଖି ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି ବୋଲି ଛାତ୍ରୀମାନେ କହିଛନ୍ତି। ଏହି ଲିପଷ୍ଟିକ୍ ଗନ୍ କେବଳ ପୋଲିସ ଏବଂ ପରିବାରକୁ ଅସୁବିଧା ସମୟରେ ସତର୍କ କରିବ ନାହିଁ ବରଂ ଏହା ଆତ୍ମରକ୍ଷା ପାଇଁ ମଧ୍ୟ ସହାୟକ ପ୍ରମାଣିତ ହେବ।
ଗୋରଖପୁରର ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀମାନେ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ ଉପକରଣ ତିଆରି କରିଛନ୍ତି। ଛାତ୍ରମାନେ କହିଛନ୍ତି ଯେ ଏହି ଲିପଷ୍ଟିକ୍ ଗନ୍ ସାହାଯ୍ୟରେ ମହିଳାମାନେ ତୁରନ୍ତ ପୋଲିସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇପାରିବେ। ଏହା ସେମାନଙ୍କୁ ତୁରନ୍ତ ସାହାଯ୍ୟ ପାଇବାରେ ସକ୍ଷମ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ମହିଳାମାନେ ଏହି ଲିପଷ୍ଟିକ୍ ଗନ୍ ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିପାରିବେ। ଏହା ମହିଳାଙ୍କୁ ହିଂସାତ୍ମକ ଘଟଣାରୁ ରକ୍ଷା କରିବାରେ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରିବ।
ଏହି ଲିପଷ୍ଟିକ୍ ଗନ୍ ଦେଖିବାକୁ ସାଧାରଣ ଲିପଷ୍ଟିକ୍ ଭଳି ହୋଇଥିବାବେଳେ ସେଥିରେ ଏକ ୫ ମିମିର ବ୍ୟାରେଲ୍ ରହିଛି। ସେଥିମଧ୍ୟରେ ନାଲି ଲଙ୍କା ଗୁଣ୍ଡ ବୁଲେଟ୍ ଭଳି ଭର୍ତ୍ତି ହୋଇଛି। କୌଣସି ଅସୁବିଧାଜନକ ପରିସ୍ଥିତିରେ ପୀଡ଼ିତା ଯଦି ଏହି ‘ଲିପଷ୍ଟିକ୍ ଗନ୍’ର ବଟନ୍କୁ ଦବାନ୍ତି ତେବେ ସେଥିରୁ ଲଙ୍କା ଗୁଣ୍ଡ ବୁଲେଟ୍ ବାହାରି ଆତତାୟୀଙ୍କ ଆଖିରେ ଜ୍ୱଳନ ସୃଷ୍ଟି କରିବ। ସେଥିଯୋଗୁଁ ସାମୟିକ ଭାବେ ସେ କିଛି ଦେଖିପାରିବେ ନାହିଁ। ଏହି ସୁଯୋଗରେ ମହିଳା ଖସି ପଳାଇବାକୁ ସମୟ ପାଇଯିବେ।
ସେହିପରି ଗନ୍ରୁ ଫାୟାରିଂ ହେବା ପରେ ତୀବ୍ର ଶବ୍ଦ ଶୁଣି ଆଖପାଖର ଲୋକେ ସତର୍କ ହୋଇଯିବେ ଓ ତାଙ୍କୁ ସହାୟତା ଲାଗି ଆଗେଇ ଆସିବେ। ଆବଶ୍ୟକ ସ୍ଥଳେ ସେହି ଗନ୍ରୁ ପୋଲିସ ଓ ପରିବାର ଲୋକଙ୍କୁ ଜରୁରିକାଳୀନ ଫୋନ୍ ସହିତ ଲୋକେସନ୍ ମଧ୍ୟ ପଠାଇବାର ବ୍ୟବସ୍ଥା ରହିଛି। ଏହାର ଦାମ୍ ରହିଛି ୨୦୦୦ ଟଙ୍କା।
‘ଲିପଷ୍ଟିକ୍ ଗନ୍’ ତିଆରି କରିଥିବା ଇସ୍ରତ୍ ଖାନ୍ ଓ ଶ୍ରୀଷ୍ଟି ଶ୍ରୀବାସ୍ତବ ଗୋରଖପୁର ଆଇଟିଏମ୍ ଇଞ୍ଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ। ସେମାନେ କହିଛନ୍ତି, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଘଟଣାକୁ ଦେଖି ସେମାନେ ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି। ଅସୁବିଧା ସମୟରେ ଏହା ଆତ୍ମରକ୍ଷା ଲାଗି ମହିଳାମାନଙ୍କର ଅମୋଘ ଅସ୍ତ୍ର ପାଲଟିବ। ‘ଲିପଷ୍ଟିକ୍ ଗନ୍’କୁ ସ୍ୱତନ୍ତ୍ର କାର୍ବନ ଫାଇବରରେ ପ୍ରସ୍ତୁତ କରାଯାଇଛି। ଏହାର ଓଜନ ମାତ୍ର ୫୦ ଗ୍ରାମ। ଏହାକୁ ବନାଇବା ଲାଗି ଭଏସ୍ ମୋଡ୍ୟୁଲ, ୩ ଭୋଲ୍ଟର ବ୍ୟାଟେରୀ, ମେଟାଲ ପାଇପ୍, ବଟନ, ମାଇକ୍ରୋଫୋନ୍ ଆଦିର ବ୍ୟବହାର କରାଯାଇଛି। ଆଇଟିଏମ୍ ଇଞ୍ଜିନିୟରିଂ କଲେଜର ଡିନ୍ ଛାତ୍ରୀଦ୍ୱୟଙ୍କର ଏହି ଉଦ୍ଭାବନକୁ ଉଚ୍ଚ ପ୍ରଶଂସା କରିଛନ୍ତି।
Comments are closed.