ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ଘଟଣା ପରେ ଦେଶ ବିଭାଜନକୁ ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଭଳି ବଲୁଚିସ୍ତାନ ମଧ୍ୟ ଅଲଗା ହୋଇଯିବା ନେଇ ଅନେକ ବୈଦେଶିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଏବେ ପାକିସ୍ତାନରେ ଯାହା ଘଟୁଛି, ବା ଯାହା ଆଗକୁ ଘଟିବା ନେଇ ଆଶଙ୍କା କରାଯାଉଛି, ସେନେଇ ୩ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପାକିସ୍ତାନ ତିନିଟି ଭାଗରେ ବିଭାଜନ ହୋଇଯିବା ସହ ପରମାଣୁ ବୋମା ମଧ୍ୟ ହାତରୁ ଚାଲିଯିବ ବୋଲି କହିଥିଲେ ଇମ୍ରାନ । ବର୍ତ୍ତମାନ ସ୍ଥିତିରେ ତାଙ୍କ ଭବିଷ୍ୟବାଣୀ ସତ ହୋଇପାରେ ବୋଲି କୁହାଯାଉଛି ।
କ’ଣ କହିଥିଲେ ଇମ୍ରାନ?
ପାକିସ୍ତାନୀ ସେନା ଠିକ୍ ନିଷ୍ପତ୍ତି ନନେଲେ ଦେଶ ତିନି ଭାଗରେ ବିଭାଜନ ହୋଇଯିବ ବୋଲି ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଇମ୍ରାନ ଖାନ୍ । ପାକିସ୍ତାନ ଆତ୍ମହତ୍ୟା କରିବା ସ୍ଥିତିରେ ରହିଛି । ସେନା ନିଷ୍ପତ୍ତି ଠିକ୍ ନହେଲେ ପାକିସ୍ତାନ ବରବାଦ ହୋଇଯିବ ଓ ସବୁଠୁ ପ୍ରଥମେ ସେନା ହିଁ ବରବାଦ ହୋଇଯିବ । ଏହାପରେ ପାକିସ୍ତାନର ପରମାଣୁ ନିରସ୍ତ୍ରୀକରଣ ନେଇ ଅନ୍ତର୍ଜାତୀୟ ଚାପ ବଢିବ ବୋଲି ଇମ୍ରାନ କହିଥିଲେ । ପିଡିଏମ୍ କ୍ଷମତାକୁ ଆସିବା ପରଠୁ ଦରଦାମ ବଢିବାରେ ଲାଗିଛି । ଦେବାଳିଆ ସ୍ଥିତି ଆଡକୁ ପାକିସ୍ତାନ ବଢୁଥିବା ଇମ୍ରାନ କହିଥିଲେ । ଇମ୍ରାନ ଯେଉଁ ଭବିଷ୍ୟବାଣୀ କରିଥିଲେ ବର୍ତ୍ତମାନ ସ୍ଥିତିରେ ତାହା ସତ ହେବା ନେଇ ଆକଳନ କରାଯାଉଛି ।
ସେନା ନିୟନ୍ତ୍ରଣରେ ନାହିଁ ବଲୁଚିସ୍ତାନ !
ଗତ ବର୍ଷେ ମଧ୍ୟରେ ବଲୁଚିସ୍ତାନରେ ସେନା ଉପରେ ଆକ୍ରମଣ ବଢିଛି । ପାକିସ୍ତାନର ନିୟନ୍ତ୍ରଣ ଏକପ୍ରକାର ଶେଷ ହୋଇଯାଇଥିବା କୁହାଯାଉଛି। ବଲୁଚ ଚରମପନ୍ଥୀଙ୍କ ଆକ୍ରମଣ ସଂଖ୍ୟା ଗତ ୫ବର୍ଷ ଭିତରେ ଚାରିଗୁଣା ହୋଇଛି । ଇସାଲାମାବାଦସ୍ଥିତ ଥିଙ୍କ ଟ୍ୟାଙ୍କ, ପାକ୍ ଇନଷ୍ଟିଚ୍ୟୁଟ୍ ଫର ପିସ୍ ଷ୍ଟଡିଜ୍ ତଥ୍ୟ ଅନୁସାରେ, ୨୦୨୦ରେ ୩୨ଟି ଆକ୍ରମଣ ହୋଇଥିବା ବେଳେ, ୨୦୨୧ ଓ ୨୦୨୨ରେ ୭୧ଟି, ୨୦୨୩ରେ ୭୮ ଓ ୨୦୨୪ରେ ୧୭୧ଟି ହମଲା ହୋଇଛି । ଗତ ୫ବର୍ଷ ମଧ୍ୟରେ ବଲୁଚ ଚରମପନ୍ଥୀଙ୍କ ଆକ୍ରମଣରେ ପ୍ରାୟ ୫୯୦ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ପାକିସ୍ତାନୀ ସେନାର ଯବାନ ବି ସାମିଲ ରହିଛନ୍ତି ।
ସିନ୍ଧ, ଖୈବର ପଖତୁନଓ୍ବାରେ ବି ଅଶାନ୍ତି
ସିନ୍ଧରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ବଢୁଛି । ସ୍ବତନ୍ତ୍ର ସିନ୍ଧସ୍ତାନ ଦାବି ଜୋରଦାର ହେଲାଣି । ସିନ୍ଧୀ ରାଷ୍ଟ୍ରବାଦୀ ସଂଗଠନ ଓ ବଲୁଚ ସଂଗଠନ ଏକାଠି ହେବା ପାକିସ୍ତାନ ସରକାରଙ୍କ ପାଇଁ ବିପଦ ଘଣ୍ଟି ହୋଇଛି । ଗତବର୍ଷ ଅନେକ ଆକ୍ରମଣ ଘଟଣାରେ ଉଭୟଙ୍କ ମିଳିତ ହାତ ରହିଥିଲା । ସିନ୍ଧରେ ପ୍ରାକୃତିକ ସଂପଦର ଶୋଷଣ ଓ ଆର୍ଥିକ ଅସମାନତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସେହିପରି ଖୈବର ପଖତୁନଓ୍ବାରେ ତହରିକ-ଏ-ତାଲିବାନ ପାକିସ୍ତାନ ସହ ବିଭିନ୍ନ ଆତଙ୍କବାଦୀ ସଂଗଠନର ପ୍ରଭାବ ବଢୁଛି । ୨୦୨୩ରେ ଡେରା ଇସ୍ମାଇଲ ଖାନରେ ଆତ୍ମଘାତୀ ଆକ୍ରମଣରେ ୨୩ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ।
ପାକିସ୍ତାନ ହାତରୁ ଖସିଯିବ ପରମାଣୁ ବୋମା !
ପରମାଣୁ ନିରସ୍ତ୍ରୀକରଣ ନେଇ ଇମ୍ରାନ ଖାନ୍ କରିଥିବା ଭବିଷ୍ୟବାଣୀ ବି ସତ ହେବା ନେଇ ଆଶଙ୍କା ଦେଖାଦେଇଛି । ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଡିଲକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା । ଏଥିରେ ଆମେରିକା ପାକିସ୍ତାନର ପରମାଣୁ ଶକ୍ତି ଛଡାଇ ନେବ କିମ୍ବା ପାକିସ୍ତାନ ନିଜେ ଆମେରିକା ପାଖରେ ପରମାଣୁ ବୋମା ବନ୍ଧକ ରଖିପାରେ ବୋଲି କୁହାଯାଇଥିଲା । ତେବେ ଆମେରିକା ପାକିସ୍ତାନର ପରମାଣୁ ବୋମାକୁ ନେଇ ଗୋପନୀୟ ଯୋଜନା କରୁଥିବା ଆମେରିକୀୟ ରିପୋର୍ଟରେ କୁହାଯାଇଥିଲା । ପ୍ଲାନର ନାଁ ସ୍ନାଚ୍ ଆଣ୍ଡ ଗ୍ରେବ୍ ରଖା ଯାଇଥିବା କୁହାଯାଉଛି । ୨୦୦୭ରେ ଗାର୍ଜିଆନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ପାକିସ୍ତାନର ପରମାଣୁ ଅସ୍ତ୍ର ସୁରକ୍ଷିତ ରହିବା ପାଇଁ ଆମେରିକା ୨୦୦୧ରୁ ୨୦୦୭ମଧ୍ୟରେ ୧୦କୋଟି ଡଲାର ଖର୍ଚ୍ଚ କରିଛି । ରିପୋର୍ଟ ଆସିବା ପରେ ଏହାକୁ ନେଇ ସେତେବେଳେ ଯୁଦ୍ଧ କଥା ବି କହିଥିଲେ ପରଭେଜ ମୁଶରଫ ।