ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ଆଇସିଏମଆର୍ ଅଡିଟୋରିୟମ ହଲରେ “ଶିଶୁ ମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ” ଶୀର୍ଷକ ଏକ ୫ ଦିନିଆ ତାଲିମ ତଥା କର୍ମଶାଳା ଉଦଘାଟନ ହୋଇଯାଇଛି । ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ୱାଧୱାନୀ ଏଆଇ, ଆଇସିଏମଆର- ଆରଏମଆରସି ଭୁବନେଶ୍ୱର ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ମିଳିତ ସହଭାଗୀତାରେ ଏହା ଉଦଘାଟନ ହୋଇଛି ।
ଏହି ତାଲିମ କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇସିଏମଆର-ଆରଏମଆରସି, ଭୁବନେଶ୍ୱର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ଜାତୀୟ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ସ୍ନେହା ନିକମ, ଆଇସିଏମଆର- ଆରଏମଆରସି, ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ୱାଧୱାନୀ ଏଆଇର ମୁଖ୍ୟ ଡକ୍ଟର ମକରନ୍ଦ ତପସ୍ଵୀ, ରାଜ୍ୟ ମହିଳା ଓ ଶିଶୁ ବିକାଶର ଅତିରିକ୍ତ ସଚିବ ଏନ.ସି. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଆନ୍ଥରୋପୋମୋଟିକ ତଥା ଓଜନ ଓ ଉଚ୍ଚତା ମାପ କରାଯିବା ସହ ଶିଶୁମାନଙ୍କର କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ । ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ।
ଏହି ୫ ଦିନିଆ ତାଲିମ ତଥା କର୍ମଶାଳାରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକୋଲ ବ୍ୟବହାର କରି ଶିଶୁମାନଙ୍କ ଓଜନ ଓ ଉଚ୍ଚତା ସୂଚକ ମାପ କରିବା ଉପରେ ବ୍ୟାପକ ତାଲିମ ପାଇବେ । ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚିଉଟ ଅଫ ନ୍ୟୁଟ୍ରିସନ(ଏନଆଇଏନ), ଆଇସିଏମଆର-ଆରଏମଆରସି ଭୁବନେଶ୍ୱର ଏବଂ ୱାଧୱାନୀ ଏଆଇ ର ବିଶେଷଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ ତାଲିମ ପ୍ରଦାନ କରିବେ ।
ତାଲିମ ପରେ, କ୍ଷେତ୍ର ଅନୁସନ୍ଧାନକାରୀ ମାନେ ପାଇଲଟ୍ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକାରିତା ପାଇଁ ବାଲେଶ୍ଵର, କଟକ, ଗଞ୍ଜାମ, ଯାଜପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୩-୪ ମାସ ଧରି ତଥ୍ୟ ସଂଗ୍ରହ ଓ ଆକଳନ କରିବେ ।
Comments are closed.