Latest Odisha News

BREAKING NEWS

କେରଳ ଛୁଇଁଲା ମୌସୁମୀ: ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର: ଚଳିତ ବର୍ଷ ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।

ତେବେ ୨୦୦୧ ଓ ୨୦୦୯ ମସିହାରେ ମେ’ ୨୩ରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ୨୦୦୦ରୁ ୨୦୨୫ ମଧ୍ୟରେ ୧୪ ଥର ମେ’ ମାସରେ ଓ ୧୨ ଥର ଜୁନ୍ ମାସରେ ମୌସୁମୀ କେରଳ ଛୁଇଁଥିଲା । ତେବେ ୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ପୁଣିଥରେ କେରଳରେ ପ୍ରବେଶ କରିଛି ମୌସୁମୀ ।

ଓଡ଼ିଶା ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହିତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ସାଙ୍ଗକୁ ଦକ୍ଷିଣରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲା ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

Comments are closed.